ନୁଆଗାଁ ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ନୁଆଗଁ ଗ୍ରାମର ଉପ୍ରା(ମ.ଇ) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ ଓ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ବିଇଓ ଧନେଶ୍ୱର ଖଣ୍ଡେଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସୋସୋ ଥାନା ଅଧିକାରୀ ଅନିଲ କୁମାର ସାମଲ, ଏବିଇଓ ପ୍ରମୋଦ କୁମାର ନାୟକ, ବାଲିବରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରା, ମିଳିତ ଶିକ୍ଷକ ମଞ୍ଚର ସମ୍ପାଦକ ମିହିର କୁମାର ପଣ୍ଡା, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ, ସିଆରସିସି ପ୍ରଦୀପ ଦେହୁରୀ, ଡ. ।ମେଚନ୍ଦ୍ର ଜେନା, ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ନାରାୟଣ ବିଶ୍ୱାଳ, ପିତାମ୍ବର ପଣ୍ଡା, ଶଙ୍ଖାଳି ଚରଣ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅବସର ନେଉଥିବା ଶିକ୍ଷକ ଦ୍ୱୟ ଦୀର୍ଘ ୩୫ବର୍ଷ ଧରି ଶିକ୍ଷାଦାନ କରି ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ମାନଙ୍କର କେବେ ଅବସର ନଥାଏ, ବୃତ୍ତିରୁ ଅବସର ନେଲେ ମଧ୍ୟ ସେମାନେ ଯେକୌଣସି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥାନ୍ତି ବୋଲି ଅତିଥିମାନେ କହିଥିଲେ । ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷକ ନେତା, ସୁ ସାହିତି୍ୟକ ଭାବେ ସମଗ୍ର ରାଜ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ଖ୍ୟାତିଲାଭ କରିପାରିଛନ୍ତି । ସେ ଏବେ ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘରର ସଭାପତି ଭାବେ ମଧ୍ୟ କାର୍ଯ୍ୟକରୁଛନ୍ତି । ଅବସର ପରେ ସେ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିବେ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ସେହିପରି ଅନ୍ୟତମ ଶିକ୍ଷକ ଅଶୋକ କୁମାର ପଣ୍ଡା ଦୁଇବର୍ଷ ତଳୁ ଅବସର ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ବିଦ୍ୟାଳୟରେ ଅବୈତନିକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ନିଜର ସ୍ୱଚ୍ଛ ଭାବନାର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଶିକ୍ଷକ ଦ୍ୱୟ ଅବସର ନେଇଯିବାପରେ ସ୍କୁଲଟି ଶିକ୍ଷକ ହୀନ ହୋଇପଡିଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଉପରେ ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ , ପୁରାତନ ଛାତ୍ରଛାତ୍ରୀ, ଗ୍ରାମର ଏସଏସଜି ମହିଳା ସଂଗଠନ, ଗ୍ରାମବାସୀ ଓ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ବିଦାୟୀ ଶିକ୍ଷକ ଦ୍ୱୟଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରାରେ ଶିକ୍ଷକ ଦ୍ୱୟଙ୍କୁ ତାଙ୍କ ବାସଭବନରୁ ଗ୍ରାମ ପରିକ୍ରମା କରାଯାଇ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ । ଏହି ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ସ୍ଥାନରେ ଫୁଲ, ଚନ୍ଦନ ଦେଇ ଶିକ୍ଷକ ଦ୍ୱୟଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଅଜୟ କୁମାର ଘଡେଇ, ରବିନ୍ଦ୍ର କୁମାର ଲେଙ୍କା, ଗୌରାଙ୍ଗ ଚରଣ ରାଉତ, ନିରଞ୍ଜନ ରାଉତ, ବସନ୍ତ କୁମାର ରାଉତ, ଅଭିମନୁ୍ୟ ରାଉତ, ଯୁବୁ ମୁଦୁଲି, ପବିତ୍ର କୁମାର ବାରିକ, ଲାଲ ମୋହନ ପହି, ସତ୍ୟବ୍ରତ ଭୂୟାଁ, ନିରୁପମା ବେହେରା, ରାମ ଚନ୍ଦ୍ର ନାୟକ, ଅମନ ଆର୍ଯ୍ୟ, ଜ୍ୟୋତି ରଞ୍ଜନ ପଣ୍ଡା, ମାଳତୀଲତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


