ନୂଆଁଗଡ ବ୍ଲକରେ ମନରେଗା ଯୋଜନାରେ ଦୂର୍ନୀତି ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲାଗିଛି ମାଳ ମାଳ ଫଳକ ।ହେଲେ କାମ ନକରି ଯୋଜନା ନାମରେ ଅର୍ଥ ହରିଲୁଟ୍ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଦୂର୍ଗମ ଅଞ୍ଚଳର ନୂଆଁଗଡ଼ ବ୍ଲକ୍ ।ଆଉ ଏହି ବ୍ଲକ୍ର ବିଡିଓ ସାଙ୍ଗକୁ ତହସିଲଦାର ଭାବେ ଦୀର୍ଘ ବର୍ଷ ହେବ ଲାବନ୍ୟେନ୍ଦୁ ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି। ଶ୍ରୀ ମହାନ୍ତି ଜଣେ ଭଲ ପ୍ରଶାସକ । ଏବେ କିନ୍ତୁ ଏହି ଶ୍ରେଷ୍ଠ ପ୍ରଶାସକଙ୍କ ଅଧୀନରେ ଥିବା ନୂଆଁଗଡ଼ ବ୍ଲକରେ ବାରି ହେଉଛି ଦୂର୍ନୀତିର ଗନ୍ଧ ।ଏହି ବ୍ଲକରେ ବିଡିଓଙ୍କ ଗୋଚରରେ କୁଆଡ଼େ ମନରେଗା ଯୋଜନାରେ କେବଳ ଫଳକ ମାରି କାମ ନକରି ମିଳିମିଶି ସରକାରୀ ଅର୍ଥକୁ ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି । ୨୦୨୦/୨୧ ଆର୍ଥିକ ବର୍ଷରେ ନୂଆଁଗଡ଼ ଶିବ ମନ୍ଦିର ଠାରୁ ଆରମ୍ଭ କରି କିଚାର୍ଲାଙ୍ଗ ନଦୀ କୁଳ ଦେଇ ଜଙ୍ଗ୍ ଜଙ୍ଗ୍ ଗ୍ରାମ ମଧ୍ୟରେ ଥିବା ଲଟାବୁଦା ଜଙ୍ଗଲ ମଧ୍ୟରେ ନିର୍ମିତ ହୋଇଛି ମାଳ ମାଳ ସୂଚନାଫଳକ ।ଯେଉଁ ଅଞ୍ଚଳର ବିକାଶ ପାଇଁ ଏତେ ଗୁଡାଏ ଫଳକ ମରାଯାଇଛି ସେଠାକୁ ଅଦ୍ୟାବଧି ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନିର୍ମାଣ ହୋଇନି । ହରିହର ବିଲରେ ଡ୍ରେନ୍ ନିର୍ମାଣ ପାଇଁ ୫ ଲକ୍ଷ, ଯୁବ ବିଲଠାରେ ମେଟାଲ୍ କଂକ୍ରିଟ ସୁରକ୍ଷା ବାଡ଼ ପାଇଁ ୧୦ ଲକ୍ଷ, କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳର ସୁରକ୍ଷା କାନ୍ଥ ପାଇଁ ୧୦ ଲକ୍ଷ, ହେମନ୍ତ ବିଲ ଠାରୁ କିଚାର୍ଲାଙ୍ଗର ସୁରକ୍ଷା କାନ୍ଥ ପାଇଁ ୧୦ ଲକ୍ଷ , କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳର ପାହାଚ ନିର୍ମାଣ ପାଇଁ ୧୦ ଲକ୍ଷ,ରଗେଇଝୁଳୀ ସୁରକ୍ଷା ପାଚେରୀ ପାଇଁ ୧୦ ଲକ୍ଷ ,ଗୁଲସନ୍ କାଜୁବାଡ଼ରେ ପଥର ବନ୍ଧେଇ ପାଇଁ ୫ ଲକ୍ଷ, ଢିମ୍ବିରି ଗଛ ଠାରେ ସୁରକ୍ଷା ପାଚେରୀ ପାଇଁ ୧୦ ଲକ୍ଷ । ହେଲେ କାର୍ଯ୍ୟାରମ୍ଭ ଆଉ କାର୍ଯ୍ୟ ଶେଷ ତାରିଖ ଲେଖାଯାଇନି । ତେବେ ଏହି କିଚାର୍ଲାଙ୍ଗ ପର୍ଯ୍ୟଟନ ସ୍ଥଳ ଅଞ୍ଚଳର ବିକାଶ ପାଇଁ ଯେତେ ଫଳକ ଲାଗିଥିଲେ ମଧ୍ୟ କୌଣସି କାମ ନକରି ଯୋଜନା ନାମରେ ହରିଲୁଟ୍ ହେଉଛି ବୋଲି ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ କିଚାର୍ଲାଙ୍ଗ ପଥୁରିଆ ନଦୀ ଟି ପାହାଡ଼ ପର୍ବତ ମଧ୍ୟରେ ଶୋଭା ବର୍ଧନ କରୁଥିବା ବେଳେ ନା ସେଠାରେ ନିର୍ମାଣ ହୋଇଛି କୌଣସି ପାହାଚ ନା କିଚାର୍ଲାଙ୍ଗ ନାମରେ ତିଆରି ହୋଇଛି ସ୍ୱତନ୍ତ୍ର ସ୍ଥାନ । ନଦୀ କୁଳେ କୂଳେ ଏମିତି ପଥୁରିଆ ରାସ୍ତା କଡ ଓ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଜଙ୍ଗ୍ ଜଙ୍ଗ୍ ଗ୍ରାମ ଦେଇ ମୁଖ୍ୟ ସଡକକୁ ବାହାରିବା ପରେ ୨୦୨୦/୨୧-ଆର୍ଥିକ ବର୍ଷରେ ପାଣିଚୁଆଁ ଆମ୍ବ ଗଛ ନିକଟରେ କଂକ୍ରିଟ କାନ୍ଥ ନିର୍ମାଣ ପାଇଁ ସାମଗ୍ରୀ ୬ ଲକ୍ଷ ୭୬ ହଜାର ୧ଶହ ୫୨ ଟଙ୍କା ଏବଂ ଶ୍ରମିକ ମୂଲ୍ୟ ୩ଲକ୍ଷ ୨୩ହଜାର ୮ ଶହ ୪୮ ଟଙ୍କା ମୋଟ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସହ କାର୍ଯ୍ୟ ଶେଷ ତାରିଖ ଲେଖା ଯାଇନଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ତାରିଖ ୧୩/ଜୁଲାଇ ୨୦୨୧ ଦର୍ଶା ଯାଇଛି ।ହେଲେ ଏହି କାମ ଭଳି ଅନେକ ସ୍ଥାନରେ ଫଳକ ମରାଯାଇଥିଲେ ମଧ୍ୟ କୌଣସି କାମ ନକରି ଏଗୁଡିକର ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହେଉଛି ।କେବଳ ଏତିକି ନୁହେଁ ଏଗୁଡ଼ିକର ଯଦି ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ନୁଆଁଗଡ ବ୍ଲକରେ ହୋଇଥିବା ଅନେକ ଦୂର୍ନୀତିର ପର୍ଦାଫାସ୍ ହେବ ବୋଲି କହୁଛନ୍ତି ସ୍ଥାନୀୟ ଜନସାଧାରଣ । ବିଡ଼ିଓ ମହୋଦୟ ଶ୍ରୀ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତିି ।


