ନୂତନ ଭାରତ ଗଠନରେ ଲୋକଉଦ୍ୟମର ଭୂମିକା ସମ୍ପର୍କରେ ଡଃ ସୁବ୍ରମଣ୍ୟନ ସ୍ୱାମୀଙ୍କ ଗୁରୁତ୍ୱ ଆରୋପ
ଭୁବନେଶ୍ୱର : ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାଂସଦ ଡଃ ସୁବ୍ରମଣ୍ୟନ ସ୍ୱାମୀ ଭୁବନେଶ୍ୱର ଠାରେ ଆୟୋଜିତ ଅଷ୍ଟାଦଶ ନାଲକୋ ବକ୍ତୃତା ଶୃଙ୍ଖଳା ଅବସରରେ ଉଦବୋଧନ ଦେଇ ‘ନୂତନ ଭାରତ ଗଠନରେ ଲୋକଉଦ୍ୟମଗୁଡ଼ିକର ଭୂମିଜା ଓ ଗୁରୁତ୍ୱ’ ସମ୍ପର୍କରେ ଆଲୋକପାତ କରିଥିଲେ ।
ତାଙ୍କର ଅଭିଭାଷଣରେ, ଡଃ ସୁବ୍ରମଣ୍ୟନ ସ୍ୱାମୀ କହିଲେ ଯେ ନୂତନ ଭାରତର ସଂରଚନାରେ ଲୋକ ଉଦ୍ୟମଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତର ବିକାଶ ପାଇଁ ଲୋକଉଦ୍ୟମଗୁଡ଼ିକ ଅତ୍ୟନ୍ତ ଅତ୍ୟାବଶ୍ୟକ ଏବଂ ଏହି ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏଥି ସହିତ, ଲୋକଉଦ୍ୟମଗୁଡ଼ିକୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା ସହ ବଜାରରେ ପରିବର୍ତ୍ତନ ସହ ତାଳ ଦେଇ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଡଃ ସ୍ୱାମୀ କହିଲେ । ଆହୁରି ମଧ୍ୟ, ଲୋକଉଦ୍ୟମଗୁଡ଼ିକ ଲାଭାର୍ଜ୍ଜନରୁ ଉର୍ଦ୍ଧ୍ବକୁ ଉଠି ବହୁମୁଖୀ ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ କରିବା ଉଚିତ । କେତେକ ଉଦ୍ୟୋଗରେ କେବଳ ଲୋକଉଦ୍ୟମ ହିଁ କାର୍ଯ୍ୟ କରିପାରିବେ । ତେଣୁ, ଏହି ଅନୁଷ୍ଠାନ ଏବଂ ସଂସ୍ଥାଗୁଡ଼ିକ ବ୍ୟବସାୟିକ ଏବଂ ବାଣିଜ୍ୟିକ ବିକାଶ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦିତାମୂଳକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଭାରତ ଲୋକଉଦ୍ୟମଗୁଡ଼ିକର ଶକ୍ତି ଓ ସାମର୍ଥ୍ୟକୁ ହୃଦୟଙ୍ଗମ କରିବାର ଉଚିତ ବୋଲି ଡଃ ସ୍ୱାମୀ କହିଥିଲେ । ଏକ ସମନ୍ୱିତ ବ୍ୟବସାୟିକ ଅନୁଷ୍ଠାନ ଭାବେ ଭାରତୀୟ ଆଲୁମିନିୟମ୍ ଶିଳ୍ପ ଏବଂ ଭାରତୀୟ ଅର୍ଥନୀତିର ବିକାଶରେ ନାଲକୋର ଅବଦାନ ପାଇଁ ସେ କମ୍ପାନୀକୁ ପ୍ରଶଂସା ମଧ୍ୟ କରିଥିଲେ। ଏହି ଅବସରରେ, ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଲେ ଯେ ଏକ କେନ୍ଦ୍ରୀୟ ଲୋକଉଦ୍ୟମ ଭାବେ ନାଲକୋ ସର୍ବଦା ଦେଶର ଅର୍ଥନୀତିର ବିକାଶକୁ ଗୁରୁତ୍ୱ ଦେବା ସହ ଉତ୍ପାଦନ, ଉତ୍ପାଦକତା ଏବଂ ଲାଭାର୍ଜ୍ଜନ କ୍ଷେତ୍ରରେ ନିରନ୍ତର ଉନ୍ନତି ସାଧନ ପାଇଁ କାର୍ଯ୍ୟ କରିଆସିଛି । ଏହଛଡ଼ା, ସିଏସ୍ଆର୍ କାର୍ଯ୍ୟ ଦ୍ୱାରା ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ମଧ୍ୟ ନାଲକୋ ଅବଦାନ ଦେଇ ଆସୁଛି । ଆଗାମୀ ଦିନରେ ମଧ୍ୟ, ରାଷ୍ଟ୍ର ଓ ଭାରତୀତ ଶିଲ୍ପର ନିରନ୍ତର ବିକାଶ ପାଇଁ ନାଲକୋ ଉଦ୍ୟମ ଅବ୍ୟାହତ ରଖିବ ବୋଲି ଶ୍ରୀ ପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ନାଲକୋର ନିର୍ଦ୍ଦେଶକବୃନ୍ଦ, ବରିଷ୍ଠ ଅଧିକାରୀ, ଶିଳ୍ପ ଓ ଶିକ୍ଷାନୁଷ୍ଠାନରୁ ବିଶିଷ୍ଟ ଅତିଥି ଏବଂ ନାଲକୋର ପୂର୍ବତନ କର୍ମଚାରୀବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।