ନୃତ୍ୟାୟନା ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ଓ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଓଡ଼ିଶୀ ନୃତ୍ୟର ବ୍ୟାପକ ଶିକ୍ଷା ଓ ଏହାର ପ୍ରଚାର, ପ୍ରସାର କ୍ଷେତ୍ରରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶୀ ନୃତ୍ୟ ଶିକ୍ଷାନୁଷ୍ଠାନ ‘ନୃତ୍ୟାୟନା’ ତାର ପଞ୍ଚମ ବାର୍ଷିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଙ୍ଗଳା ଚରଣ, ବଟୁ, ପଲ୍ଲବୀ, ଶିବ ତାଣ୍ଡବ ଭଳି ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ୫୦ରୁ ଉର୍ଦ୍ଧ୍ୱ ପିଲା ଅଂଶଗ୍ରହଣ କରିଥିଲେ।ଉଦ୍ଘାଟନୀ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଏସିପି ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଓଡ଼ିଶୀ ନୃତ୍ୟଗୁରୁ ସୁହାଗ ନଳିନୀ ଦାସ, ଗୁରୁ ଶରତ ଚନ୍ଦ୍ର ଦାସ, ଗୁରୁ ଗୌରୀଶଙ୍କର ଦାସ, ଅଭିନେତା ଶ୍ରୀତମ ଦାସ, ସ୍ତମ୍ଭକାର ଡ. ବନ୍ଦନା ହରିଚନ୍ଦନ, ନ୍ୟାସନାଲ ହ୍ୟୁମାନ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର, ସମାଜସେବୀ ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ନାରାୟଣ ଗ୍ରୁପ୍ ଅଫ ସ୍କୁଲ୍ର ଭାଇସ ପ୍ରିନ୍ସପାଲ ସୁସ୍ମିତା ମହାପାତ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ କଲ୍ୟାଣୀ ସାହୁ, ଫଟୋ ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦାସ, ସମାଜସେବୀ ରୋହିତ କୁମାର ଓ ସଞ୍ଜୟ ପରିଡ଼ାଙ୍କୁ ଅତିଥିମାନେ ନୃତ୍ୟାୟନା ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଜ୍ଞାନାନନ୍ଦ ସାଗର କୁମାର । ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ତଥା ଓଡ଼ିଶୀ ନୃତ୍ୟଗୁରୁ ସୁନିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।


