ସ୍ଥଗିତାବସ୍ଥା ହଟାଇବା ନେଇ ଆଇନ୍‌ ମନ୍ତ୍ରୀଙ୍କ ସହିତ ପରାମର୍ଶ କରିବି : ବାଚସ୍ପତି

ଭୁବନେଶ୍ବର : ରାଜ୍ୟର ଏକ ତୃତୀୟାଂଶ ସ୍କୁଲରେ ପ୍ରଧାନଶିକ୍ଷକ ପଦ ଖାଲି ପଡିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷାକମାନେ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଥିଯୋଗୁଁ ଗୁଣାତ୍ମକ ଶିକ୍ଷାଦାନ କର୍ମୀ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ବୋଲି ଉଲ୍ଲେଖ କରି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନ୍ୟାୟାଳୟର ସ୍ଥଗିତାବସ୍ଥା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ବର୍ଣ୍ଣନା କରି ସେ ଏହି ଅଦାଲତ ସମସ୍ୟାର ଆଶୁ ପ୍ରତିକାର ଲାଗି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଧାନସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ଶତପଥୀ କହିଲେ, ନ୍ୟାୟାଳୟରେ ମାମଲା ବିଚରାଧୀନ ଥିବା ଆଳରେ ସରକାର ସମସ୍ୟାକୁ ଏଡାଇଯିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ସେହି ଅଦାଲତି କଟକଣା ହଟାଇବା ପାଇଁ କୌଣସି ପ୍ରୟାସ କରୁନାହାଁନ୍ତି। ଫଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକପ୍ରକାର ଅଚଳାବସ୍ଥା ଉପୁଜିଛି। ନ୍ୟାୟାଳୟର ସ୍ଥଗିତାବସ୍ଥା ହଟାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦୃଢ ଦାବି କରିଥିଲେ। ଉତ୍ତରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜଣାଇଥିଲେ ଯେ, ଶିକ୍ଷା ସମେତ ଅନେକ ବିଭାଗରେ ବିପୁଳ ସଂଖ୍ୟକ ମାମଲା ନ୍ୟାୟାଳୟମାନଙ୍କରେ ବିଚାର ଅପେକ୍ଷାରେ ପଡି ରହିଛି। ତେଣୁ ସମସ୍ୟାର ସମାଧାନ ଲାଗି ଆଇନ ମନ୍ତ୍ରୀଙ୍କ ସହିତ ପରାମର୍ଶ କରି ମୁଁ ଆବଶ୍ୟକ ରୁଲିଂ ପ୍ରଦାନ କରିବି। ଏହାପରେ ଏଥିରେ ଉପୁଜିଥିବା ବିବାଦର ଅବସାନ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ