ପଞ୍ଚାୟତ ନିର୍ବାଚନ ବିଜୟ ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର : ଶିକ୍ଷକ ସମେତ ୧ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଫଳାଫଳ ପରେ ବିଜୟୀ ଉତ୍ସବ ପାଳନ କରିଥିବା ସମୟରେ ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ଢେପାପେଣ୍ଠ ଗ୍ରାମରେ । ଏହି ମାମଲାରେ ଗୁରୁବାର କେ. ନୂଆଗାଁ ଥାନା ପୋଲିସ ଗୈାଡଗାଁ ସରକାରୀ ବିଦ୍ୟାଳୟରେ ଦାୟିତ୍ବରେ ରହିଥିବା ଶିକ୍ଷକ କାଳୁ ଓରଫ କାଳୀଚରଣ ସାହୁ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀର କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ସୋମବାର ଦିନ ଏହି ବ୍ଳକର ୨୫ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ବିଜୟୀ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ବିଜୟୀ ଶୋଭାଯାତ୍ରା ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ମଧ୍ୟ ଦୁଇଦଳ ମଧ୍ୟରେ ନାମାଙ୍କନକୁ ନେଇ ମାରପିଟ ହୋଇଥିବା ବେଳେ ପୋଲିସ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ କୋର୍ଟ ଚାଲାଣ କରିଥିଲା । ବୁଧବାର ଦିନ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଦୀନବନ୍ଧୁ ସେଠୀ , ସମିତି ସଭ୍ୟ ପଙ୍କଜ ସାହୁ ସମେତ ୱର୍ଡସଭ୍ୟ ନିଜ ସମର୍ଥକଙ୍କ ସହ ପୋଲିସର ବିନା ଅନୁମତିରେ ଚୌଧୁରୀ ଟିକରପଡା , ବଜ୍ରଗୁମ୍ମା ଗ୍ରାମରେ ବାଣ ଫୁଟାଇ , ଡିଜେ ଲଗାଇ ବେଆଇନ ଭାବେ ଶୋଭାଯାତ୍ରା ପାଳନ କରୁଥିଲେ । ଏହାପରେ ଢେପାପେଣ୍ଠ ଗ୍ରାମରେ ଶୋଭାଯାତ୍ରା ପାଳନ ସମୟରେ ପ୍ରଥମେ ଗ୍ରାମର କିଛି ବ୍ୟକ୍ତି କୈଳାସ ସାହୁ , ବଡ଼ଭାଇ ପ୍ରକାଶ ସାହୁ ଏବଂ କୃଷ୍ଣ ସାହୁଙ୍କ ଘର ଉପରକୁ ଢେଲା ପଥର ଖଣ୍ଡ ମାଡ଼ କରିଥିଲେ ଏବଂ କୃଷ୍ଣଙ୍କ ଦୁଇଟି ଗାଡ଼ି ଭଙ୍ଗାରୁଜା କରିଥିଲେ । କିଛି ସମୟପରେ ରାଜନୈତିକ ହିଂସାକୁ ନେଇ ଉଭୟ ଗୋଷ୍ଠୀ ଠେଙ୍ଗା ବାଡି ଓ ମାରଣାସ୍ତ୍ର ଧରି ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ କୃଷ୍ଣ ସାହୁ ସମେତ କିଛି ମହିଳା ଆହତ ହୋଇଥିଲେ । ଘଟଣା ସ୍ଥଳରେ କମ ସଂଖ୍ୟକ ପୋଲିସ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିପାରିନଥିଲେ । ତେବେ ପୋଲିସକୁ ଏଥିରେ ହସ୍ତକ୍ଷେପ କଲେ ଘଟଣା ଭୟାନକ ହେବ ବୋଲି ଧମକ ଦେଇଥିଲେ । ଘଟଣାପରେ କେ . ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ତାଙ୍କ ଟିମ୍ ସହ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଘଟଣା ସମ୍ପର୍କରେ ନୂଆପଡ଼ା ପୋଲିସ ଫାଣ୍ଡି ଏ ଏସ ଆଇ ରାମ ଶଙ୍କର ବେହେରାଙ୍କ ଏତଲା କ୍ରମେ ଆକ୍ରମଣ ପ୍ରତି ଆକ୍ରମଣରେ ସମ୍ପୃକ୍ତ ଥିବା ଶିକ୍ଷକ କାଳୁ ଓରଫ କାଳି ଚରଣ ସାହୁ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀର କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଥିଲା । ସମୁଦାୟ ଘଟଣାର ତଦନ୍ତ କରାଯାଇ ଆକ୍ରମଣ ପ୍ରତି ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ଉଭୟ ଗୋଷ୍ଠୀର ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କ ନାଁ ରେ ମକଦ୍ଦମା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କେ . ନୂଆଗାଁ ଥାନା ମାମଲା ନଂ. ୬୨/୨୨ ଦଫା -୧୪୭/୧୪୮/୨୯୪/୩୨୩/୩୨୪/୩୫୩/୪୨୭/୩୩୬/୩୩୭/୩୦୭/୫୦୬/୧୪୯ ଆଇ ପି ସି ଅନୁଯାୟୀ ପୋଲିସ ଦୁୁଇଜଣକୁ ଗିରଫ କରିବା ସହ ଗୁରୁବାର ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।


