ପପୁ ପମ୍‌ପମଙ୍କ ସବୁ ନାୟିକା ଏକା ପ୍ରକାରର !

ଓଲିଉଡର ଜଣାଶୁଣା ଅଭିନେତା ପପୁ ପମ୍‌ପମ କେବଳ ଯେ ଜଣେ କମେଡିଆନ୍‌, ତା’ ନୁହେଁ ବରଂ ସେ ଜଣେ ନାୟକ ଓ ନିର୍ଦ୍ଦେଶକ ମଧ୍ୟ । ସେ “ରଙ୍ଗିଲା ଟୋକା’ ଫିଲ୍ମରୁ ଆରମ୍ଭ କରି ଏବେ ମୁକ୍ତି ପ୍ରତୀକ୍ଷାରେ ଥିବା “ମିଷ୍ଟର କହ୍ନେୟା’ ଯାଏଁ କେତୋଟି ହାତଗଣତି ଓଡ଼ିଆ ସିନେମାରେ ନାୟକ ବି ହୋଇଛନ୍ତି । ମଜାଦାର କଥା ହେଉଛି ଯେ ଏଯାବତ୍ ଯେଉଁସବୁ ସିନେମାରେ ପପୁ ପମ୍‌ପମ ନାୟକ ରୂପେ ପରଦାକୁ ଆସିଛନ୍ତି, ସେ ସବୁରେ ବଙ୍ଗୀୟ ଯୁବତୀଙ୍କୁ ତାଙ୍କର ନାୟିକା ରୂପେ ଦେଖିବାକୁ ମିଳିଛି ।ନାୟକଭାବେ ପପୁ ପମ୍‌ପମଙ୍କ ପ୍ରଥମ ଓଡ଼ିଆ ସିନେମା ଥିଲା ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ତଥା ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ “ରଙ୍ଗିଲା ଟୋକା’? ଏହି ସିନେମାରେ ପପୁ ପମ୍‌ପମଙ୍କର ନାୟିକା ଭାବେ ପରଦାକୁ ଆସିଥିଲେ ବଙ୍ଗୀୟ ଯୁବତୀ ଦେବଯାନୀ । ଏହି ଫିଲ୍ମରେ ପପୁ-ଦେବଯାନୀଙ୍କ ଯୋଡ଼ି ବି ଜମି ଯାଇଥିଲା । କହିବାବାହୁଲ୍ୟ ଯେ “ରଙ୍ଗିଲା ଟୋକା’ ବ୍ଲକବଷ୍ଟର ହିଟର ମାନ୍ୟତା ପାଇଥିଲା । ଏହାପରେ ଆଉ କେବେ ବି ଦେବଯାନୀଙ୍କ ସହ ପପୁ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ।
ଏହାପରେ ନାୟକ ଭାବେ ପୁଣି ପପୁ ପମ୍‌ପମ ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ‘ଚଉକା ଛକା’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମରେ ବି ତାଙ୍କ ବିପକ୍ଷରେ ଜଣେ ବଙ୍ଗୀୟ ନାୟିକାଙ୍କୁ ଦେଖିବାକୁ ମିଳିଥିଲା । ସେହି ନାୟିକା ଜଣକ ହେଲେ ଲଭଲି । ଏହା ଆଗରୁ ଲଭଲି ରୋମିଓ ଦ ଲଭରବୟ ଏବଂ ଡନ୍ ଭଳି ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ।ଏଥିମଧ୍ୟରୁ ପ୍ରଥମଟିରେ ବାବୁସାନ ଏବଂ ଆରଟିରେ ଅନୁଭବଙ୍କ ବିପକ୍ଷରେ ନଜର ଆସିଥିଲେ ବଙ୍ଗୀୟ ନାୟିକା ଲଭଲି । ତା’ପରେ ସଙ୍ଗୀତା ଶତପଥୀଙ୍କ ପ୍ରଯୋଜିତ “ଆମେ ତ ଟୋକା ଷଣ୍ଢମାର୍କା’ରେ ପପୁ ପମ୍‌ପମ ହିରୋ ଭାବେ ଆସିଥିଲେ । ଏଥିରେ ସେ ଥିଲେ ସୋଲୋ ହିରୋ । ଏହି ଫିଲ୍ମରେ ପପୁଙ୍କ ନାୟିକା ଭୂମିକା ନିଭାଇଥିଲେ ବେଙ୍ଗଲି ବିଉଟି କୋଏଲ୍ ବାନାର୍ଜୀ । ଏହି ଯୋଡ଼ି କିନ୍ତୁ ଚର୍ଚ୍ଚିତ ହୋଇ ନ ଥିଲା, କି ଫିଲ୍ମଟି ସେଭଳି ସଫଳତା ହାସଲ କରି ନଥିଲା । ଏବେ ପୁଣି ପପୁ ପମ୍‌ପମ ଆସୁଛନ୍ତି ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ହେଲା “ମିଷ୍ଟର କହ୍ନେୟା’? ଏଥିରେ ବି ନାୟକ ଭୂମିକାରେ ଅଛନ୍ତି ସେ । ଏହି ଫିଲ୍ମରେ ପପୁ ପମ୍‌ପମଙ୍କୁ ମିଳିଛନ୍ତି ପୁଣି ଜଣେ ବଙ୍ଗୀୟ ନାୟିକା । ଏଥର ପପୁଙ୍କ ପାର୍ଟନର ବନିଛନ୍ତି ବଙ୍ଗୀୟ ନାୟିକା ଝିଲିକ୍ ।ଆଉ ଏକ ମଜାଦାର କଥା ହେଲା ଯେ ପପୁଙ୍କ ନାୟିକା ସାଜିଥିବା ଦେବଯାନୀ, କୋଏଲ୍ କି ଲଭଲି କେହି ହେଲେ ଦ୍ୱିତୀୟ ଥର ପାଇଁ ତାଙ୍କର ନାୟିକା ହୋଇନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ