ପରିବେଶ ଓ ଜନବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ ଜଙ୍ଗଲ ସଂରକ୍ଷଣ ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କର : ସି.ଏସ୍‌.ଡ଼ି, ଓଡ଼ିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ସରକାର କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଆଇନ ଆଣୁଛନ୍ତି କିମ୍ବା ସେହି ଅନୁଯାୟୀ ଆଇନରେ ସଂଶୋଧନ ଆଣୁଛନ୍ତି । ତିନି କୃଷି ଆଇନ, ଶ୍ରମ କୋଡ଼ରେ ପରିବର୍ତ୍ତନ ଏହାର ଜ୍ୱଳନ୍ତ ଉଦାହରଣ । ବର୍ତ୍ତମାନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରବରିଆ ଭାବେ ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପାଇଁ ଏକ ପରାମର୍ଶ ଦସ୍ତାବିଜ ପ୍ରକାଶ କରିଛନ୍ତି ଯାହାକି ଅତି ଅସ୍ପଷ୍ଟ ଓ ପରସ୍ପର ବିରୋଧୀ ମଧ୍ୟ । ଯେଉଁଥିରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ, ଏହି ପ୍ରସ୍ତାବିତ ସଂଶୋଧନ ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାପକ ଜଙ୍ଗଲ ଜମିକୁ ଜଙ୍ଗଲ ସଂରକ୍ଷଣ ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାର ବାହାରେ ରଖିବା, ଯେପରି ଏହାକୁ ସରକାରୀ ଓ ଘରୋଇ ସଂସ୍ଥାମାନେ ସହଜରେ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରିପାରିବେ । ଏଥିପାଇଁ ଜଙ୍ଗଲ ସଂଜ୍ଞାରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାଦ୍ୱାରା ଏହି ଜମି ଉପରେ ଅଣଜଙ୍ଗଲ କାର୍ଯ୍ୟକଳାପ ପାଇଁ ଆଉ ଜଙ୍ଗଲ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ । \”ସହଜରେ ବ୍ୟବସାୟ କରିବା\’ ନାମରେ ଏଭଳି ଯୁକ୍ତି କରାଯାଉଛି । ଏହି ପ୍ରସ୍ତାବିତ ସଂଶୋଧନରେ ଜଙ୍ଗଲ ବିବେଚିତ ବ୍ୟାପକ ଜମି ଏବଂ ସରକାରୀ ଜଙ୍ଗଲ ବାହାରେ ଥିବା ବେସରକାରୀ ଓ ଅଣ ଜଙ୍ଗଲ ଜମିରେ ଏକକ ଓ ବ୍ୟବସାୟିକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ଜଙ୍ଗଲ ସଂରକ୍ଷଣ ଆଇନ ବାହାରେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ବହୁ ପ୍ରଜାତିର ଗଛ ଥିବା ଜଙ୍ଗଲକୁ ଧ୍ୱଂସ କରି ଏଭଳି ଏକକ ବ୍ୟବସାୟିକ ବୃକ୍ଷରୋପଣ ଜୈବ ବିବିଧତାକୁ ନଷ୍ଟ କରିବା ସହ ଆଦିବାସୀ ଓ ବନବାସୀ ସମ୍ପ୍ରଦାୟମାନଙ୍କର ଅଧିକାର ଓ ଜୀବିକାକୁ ବ୍ୟାପକ ଭାବେ ପ୍ରଭାବିତ କରିବ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଆମର ଅଭିଜ୍ଞତା କହେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା ଏଭଳି ବୃକ୍ଷରୋପଣ କେବଳ ଜମି ଦଖଲ ଓ ଜମି ଛଡ଼ାଇ ନେବାର ମାଧ୍ୟମ ହୋଇଛି ଏବଂ ଏହା ବ୍ୟାପକ ଦୁର୍ନୀତିର ଗନ୍ତାଘର ହୋଇଛି । ବରଂ ଏହା ବଦଳରେ ସୁନିଶ୍ଚିତ ରୋଜଗାର ଯୋଜନାରେ ଅଧିକରୁ ଅଧିକ ବ୍ୟୟବରାଦ କରି ସ୍ଥାନୀୟ ଜନସାଧାରଣଙ୍କୁ ନିୟୋଜିତ କରି ଉଜୁଡ଼ା ଓ ପତଳା ଜଙ୍ଗଲ, ପତିତ, ଅନାବାଦୀ ଓ ଅନ୍ୟାନ୍ୟ ସରକାରୀ ଜମିରେ ବ୍ୟାପକ ଭାବେ ଫଳଗଛ ଏବଂ ଔଷଧୀୟ ଓ ଅନ୍ୟାନ୍ୟ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ଯୋଗାଉଥିବା ବୃକ୍ଷ ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଯାହା ଉପରେ ଗ୍ରାମସଭାର ଅଧିକାର ରହିବାସହ ରକ୍ଷଣା-ବେକ୍ଷଣ ଓ ପରିଚାଳନାର ଦାୟିତ୍ୱ ରହିବ । ଏଭଳି ଅର୍ଥନୀତି ପ୍ରକୃତି ଅନୁକୂଳ ହେବା ସହ ବ୍ୟାପକ ଲୋକଙ୍କୁ ନିଯୁକ୍ତି ଯୋଗାଇବ ଏବଂ ଏହା ଦୀର୍ଘସ୍ଥାୟୀ, ଭାଗିଦାରୀମୂଳକ ଓ ସମତାପୂର୍ଣ୍ଣ ହେବ । ଜଙ୍ଗଲ ଅଧିକାର ଆଇନ ୨୦୦୬ ସହ ସୁସଂହତ କରିବା ପରିବର୍ତ୍ତେ ଜଙ୍ଗଲ ସଂରକ୍ଷଣ ଆଇନର ଆଳରେ ମିଳିଥିବା ଜଙ୍ଗଲ ଅଧିକାରଗୁଡ଼ିକୁ ସଙ୍କୁଚିତ କରାଯାଉଛି ଏବଂ ବର୍ତ୍ତମାନର ପ୍ରସ୍ତାବିତ ସଂଶୋଧନ, ଜଙ୍ଗଲ ଅଧିକାର ଆଇନ୍ ୨୦୦୬କୁ କାର୍ଯ୍ୟତଃ ଅକାମୀ କରିଦେବା ସହ ଗ୍ରାମସଭାର କ୍ଷମତାକୁ ଛଡ଼ାଇ ନେବ । ଏହା ସହ ପ୍ରସ୍ତାବିତ ଜଙ୍ଗଲ ସଂଜ୍ଞାର ସଂଶୋଧନରେ ଜଙ୍ଗଲ ବ୍ୟାଖ୍ୟାରୁ ବାଦ ପଡୁଥିବା ବ୍ୟାପକ ଜମି ଅନୁସୂଚିତ ଅଞ୍ଚଳରେ ଆସୁଛି, ଯାହାକି ଜମି ଓ ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ପେସା ଆଇନ ଅଧୀନରେ ଗ୍ରାମସଭା କ୍ଷମତା ମଧ୍ୟରେ ଆସୁଛି । ସାମଗ୍ରିକ ଭାବେ ଦେଖିଲେ, ଏହି ପ୍ରସ୍ତାବିତ ସଂଶୋଧନ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ । ଦେଶରେ ଥିବା ବ୍ୟାପକ ଜଙ୍ଗଲ ଜମିକୁ ଖଣି, ବ୍ୟବସାୟିକ ଚାଷ ଓ ଅନ୍ୟାନ୍ୟ ଅଣଜଙ୍ଗଲ କାର୍ଯ୍ୟରେ ଲଗାଇବା ପାଇଁ କର୍ପୋରେଟ ହାତକୁ ଟେକି ଦେବା ପାଇଁ ଏହି ସଂଶୋଧନଦ ପ୍ରସ୍ତାବ ଅଣାଯାଇଛି । ଏହା କାର୍ଯ୍ୟକାରୀ ହେଲେ ବ୍ୟାପକ ଜଙ୍ଗଲ ଧ୍ୱଂସ ହୋଇଯିବ, ଜୈବ ବିବିଧତା ନଷ୍ଟ ହେବ, ପ୍ରକୃତି ଓ ପରିବେଶ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଏହା ସହ ବ୍ୟାପକ ଜନଗଣ ବିଶେଷକରି ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ସେମାନଙ୍କ ଜୀବିକା ଓ ଅଧିକାର ହରାଇ ବିସ୍ଥାପିତ ହେବେ । ସେଥିପାଇଁ ଆମେ ଏହି ସଂଶୋଧନ ପ୍ରସ୍ତାବକୁ ଦୃଢ ବିରୋଧ କରି ଏହାକୁ ପ୍ରତ୍ୟାହାର ପାଇଁ ଦାବି କରୁଛୁ । ଏହା ସହ ଜଙ୍ଗଲ, ଅଧିକାର ଆଇନ ସହ ଜଙ୍ଗଲ ସଂରକ୍ଷଣ ଆଇନକୁ ସୁସଂହତ କରି ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଉ । ପ୍ରକୃତିକୁ ଧ୍ୱଂସ କରି କର୍ପୋରେଟ ନିର୍ଦ୍ଧାରିତ ବିକାଶର ଧାରାକୁ ପ୍ରତ୍ୟାଖ୍ୟାନ କରି ଏକ ପ୍ରକୃତି ଅନୁକୂଳ, ଦୀର୍ଘସ୍ଥାୟୀ, ଜନ ଭାଗିଦାରୀ ଓ ସମତାପୂର୍ଣ୍ଣ ଅର୍ଥନୀତି ଆପଣାଯାଉ, ଯାହାକି ପୁଞ୍ଜିଭିତ୍ତିକ ନ ହୋଇ ନିଯୁକ୍ତିଭିତ୍ତିକ ହେବ ବୋଲି ମର୍ଯ୍ୟାଦାର ସହ ବଞ୍ôଚବାର ଅଭିଯାନ ପକ୍ଷରୁ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସି.ଏସ୍‌.ଡ଼ି, ଓଡ଼ିଶା ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ଗୋପିନାଥ ମାଝୀ, ଡଃ ଶ୍ରୀଚରଣ ବେହେରା, ନରେନ୍ଦ୍ର ମହାନ୍ତି, ଓଡ଼ିଶା କୃଷକସଭାର ସମ୍ପାଦକ ସୁରେଶ ପାଣିଗ୍ରାହୀ, ସନ୍ଦିପ ପଟ୍ଟନାୟକ, ସାମାଜିକ ଓ ରାଜନୈତିକ କର୍ମୀ ଶ୍ରୀମନ୍ତ ମହାନ୍ତି, ପ୍ରଶାନ୍ତ ପାଇକରାୟ, ଚିତ୍ତରଞ୍ଜନ ବାରିକ, ନିରଞ୍ଜନ ମହାନ୍ତି ଓ ବିଶ୍ୱନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ