ଆରମ୍ଭ ହୋଇନି : ଖରାଛୁଟି ସମୟ ନିର୍ଘଣ୍ଟରେ ଖୋଲୁନି ଆସିକାର ଅଧିକାଂଶ ସରକାରୀ ସ୍କୁଲ!
ଆସିକା (ୱାଇଏନ୍ଏସ୍): ଖରାଛୁଟି ଆରମ୍ଭ ହୋଇନି, କେବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇସାରିଛି । ସରକାରୀ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସି ସମୟ ନିର୍ଘଣ୍ଟ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ନିୟମ ଥିଲେ ମଧ୍ୟ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ସରକାରୀ ସ୍କୁଲରେ ଘଣ୍ଟା ଘଣ୍ଟା ଧରି ତାଲା ଝୁଲୁଥିବା ଘଟଣାକୁ ନେଇ ସଚେତନ ନାଗରିକ, ବୁଦ୍ଧିଜିବୀ ଓ ବହୁ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକିି୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ୧୩ଟି କ୍ଳଷ୍ଟରର ପ୍ରାୟ ୧୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବହୁ ଶିକ୍ଷକ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରି ନିିୟମିତ ଭାବେ ସମୟ ନିର୍ଘଣ୍ଟ ଅନୁଯାୟୀ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ନାମଲେଖା ଠାରୁ ଆରମ୍ଭ କରି ପରବର୍ତ୍ତୀ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସୁବ୍ୟବସ୍ଥିତ ଢଙ୍ଗରେ ନୀତି ନିୟମ ଅନୁଯାୟୀ କରୁଥିଲା ବେଳେ ଆଉ କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ଉପରେ ନ୍ୟସ୍ତ କରାଯାଇଥିବା ଜନଗଣନା କାର୍ଯ୍ୟକୁ ସୁଚାରୂ ରୂପେ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ତେବେ ବହୁ ଅମାନିଆ ଶିକ୍ଷକ ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ନିଜର ସରକାରୀ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦରେ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟରେ ଅନୁପସ୍ଥିତ ରହିବାକୁ ସାହାସ କରୁଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବା ପାଇଁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ଖରାଛୁଟି ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କରି ନିଜ ନିଜ ବିଦ୍ୟାଳୟରେ ଘଣ୍ଟା ଘଣ୍ଟା ଅନୁପସ୍ଥିତ ରହୁଥିବା ଓ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟକୁ ଆସୁନଥିବା ଶିକ୍ଷକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଖରାଛୁଟି ଘୋଷଣା ହୋଇନଥିଲେ ମଧ୍ୟ ଅଧିକାଂଶ ଶିକ୍ଷକ କେତେବେଳେ ବିଦ୍ୟାଳୟକୁ ଆସୁଛନ୍ତି ଓ କେତେବେଳେ ବିଦ୍ୟାଳୟରୁ ଯାଉଛନ୍ତି ଏବଂ ବିଦ୍ୟାଳୟ ଗୁଡିକ ସମୟ ନିର୍ଘଣ୍ଟ ଅନୁଯାୟୀ ଖୋଲୁଛି କି ନାହିଁ ତାହାର ଏକ ନିରପେକ୍ଷ ଯାଞ୍ଚ କରିବା ସାଂପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି ବୋଲି ମତ ପ୍ରକାଶ ପାଉଛି । ଖରାଛୁଟି ଘୋଷଣା ହୋଇନଥିଲେ ମଧ୍ୟ ଆସିକାର ଅଧିକାଂଶ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୟ ନିର୍ଘଣ୍ଟ ଅନୁଯାୟୀ ଖୋଲୁନଥିବା ଏବଂ ସମୟ ଅତିକ୍ରାନ୍ତ ପୂର୍ବରୁ ତାଲା ଝୁଲୁଥିବା ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଯେଉଁ ଶିକ୍ଷକମାନେ ନିୟମିତ ନିଜ ନିଜ ସ୍କୁଲକୁ ଠିକ୍ ସମୟରେ ଯିବା ଓ ଆସିବା କରୁନାହାନ୍ତି ଏବଂ ଯେଉଁ ବିଦ୍ୟାଳୟ ଗୁଡିକ ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟକ୍ଷମ ହେଉନି ତାହାର ଏକ ସଠିକ୍ ଗୋପନୀୟ ତଥ୍ୟ ସଂଗ୍ରହ କରାଯାଇ ଯଦି କିଛି ଅନିୟମିତତା ଧରାପଡେ ତେବେ ନିଶ୍ଚିତ ଭାବେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ବିଭାଗ ଓ ଆସିକା ଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ଖରାଛୁଟି ଘୋଷଣା ହୋଇନଥିଲା ବେଳେ ବିଦ୍ୟାଳୟ ଗୁଡିକ ଯେପରି ସମୟ ନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟକ୍ଷମ ହେବ ଓ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବେ ସେ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


