ଜିଲ୍ଲାସ୍ତରୀୟ କ୍ଷମତା ବୃଦ୍ଧି କର୍ମଶାଳା
କଟକ, (ଓ୍ବାଇଏନଏସ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ତିନିଦିନିଆ ଜିଲ୍ଲା ସ୍ତରୀୟ ବିପଣନ,ସଚେତନତା, କ୍ଷମତା ବୃଦ୍ଧି ଉପରେ ଏକ କର୍ମଶାଳା ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳା ଉଦ୍ୟୋଗୀମାନଙ୍କର ବିପଣନ କ୍ଷମତାକୁ ସୁଦୃଢ କରିବା । ଏହି କର୍ମଶାଳାରେ ବଜାର ସଂଯୋଗ, ଉତ୍ପାଦିତ ପଦାର୍ଥର ମୂଲ୍ୟ ବୃଦ୍ଧି କରିବା, ବ୍ରାଣ୍ଡିଂ, ପ୍ୟାକେଜିଂ, ଇ-ମାର୍କେଟିଂ, ଗ୍ରାହକମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାର ପ୍ରଣାଳୀ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । କଟକ ଜିଲ୍ଲାର ୬୦ଜଣ ମହିଳା ଉଦ୍ୟୋଗୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି କର୍ମଶାଳାରେ ବିଭିନ୍ନ ବିଷୟରେ ଅଭିଜ୍ଞ ବ୍ୟକ୍ତିମାନେ ବିସ୍ତୃତ ମାର୍ଗଦର୍ଶନ ଦେବା ସହ ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରିଥିଲେ । ଶେଷ ଦିନରେ ୫୦ଜଣ ମହିଳା ଉଦ୍ୟୋଗୀଙ୍କ ନିମନ୍ତେ ଭାରତ ମସଲା ପ୍ରତିଷ୍ଠାନକୁ ଏକ କ୍ଷେତ୍ର ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏହି ପରିଦର୍ଶନ ସମୟରେ ଉଦ୍ୟୋଗୀମାନେ ବିଭିନ୍ନ ଉତ୍ପାଦର ପ୍ରସ୍ତୁତି ଓ ପ୍ୟାକେଜିଂ, ଗୁଣମାନ ନିୟନ୍ତ୍ରଣ ଆଦି ବିଷୟରେ ପ୍ରାୟୋଗିକ ଅନୁଭବ ଅର୍ଜନ କରିଥିଲେ । ଏହି କ୍ଷେତ୍ରପରିଦର୍ଶନ ସମୟରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିପିନ ବିହାରୀ ରାଉତ ଉଦ୍ୟୋଗୀମାନଙ୍କ ସହିତ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ଏବଂ ଏହି କର୍ମଶାଳାଟି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ବ୍ୟବସାୟ ପ୍ରତି ଉତ୍ସାହ ସୃଷ୍ଟି କରିବା ସହ ବ୍ୟବସାୟିକ କ୍ଷମତାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଭାରତ ମସଲାର ଚେୟାରମ୍ୟାନ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଣ୍ଡା ଉଦ୍ୟୋଗୀମାନଙ୍କ ସହିତ ଉତ୍ପାଦନର ଉତ୍ସ ଗୁଣମାନ ରକ୍ଷାକୁ ଯେକୌଣସି ବ୍ୟବସାୟର ସଫଳତାର ମୂଳମନ୍ତ୍ର ବୋଲି ବ୍ୟାଖ୍ୟା କରିବା ସହ ଗ୍ରାହକ ହେଉଛନ୍ତି ରାଜା ବୋଲି ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଉଦ୍ୟୋଗୀମାନେ ସକ୍ରିୟ ଭାଗ ନେବା ସହ ଏହି କର୍ମଶାଳାଟି ବ୍ୟବସାୟିକକ୍ଷେତ୍ରରେ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ମତ ପ୍ରକାଶ କରିଥିଲେ ।


