ପଶ୍ଚିମ ଓଡିଶା ବିକାଶ ପରିଷଦ ନେଇ ରାଜଭବନ ସମ୍ମୁଖରେ ବିଜେପିର ବିଶାଳ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର, (ୱାଇଏନ୍ଏସ୍): ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ଭୁବନେଶ୍ୱରରେ ନ ରଖି ପରିଷଦର ଅନ୍ତର୍ଗତ ଯେ କୌଣସି ଜିଲ୍ଲାର ସଦର ମହକୁମାରେ ସ୍ଥାପନ କରାଯାଉ । ସାଂସଦ / ବିଧାୟକମାନଙ୍କୁ ମନୋନୀତ କରାଯାଇ ବିଶେଷଜ୍ଞ ସଦସ୍ୟଙ୍କ ନିଯୁକ୍ତି ସହ ପରିଷଦର ପୁର୍ଣ୍ଣାଙ୍ଗ କାଉନ୍ସିଲ ଗଠନକୁ ସଂପୂର୍ଣ୍ଣ କରାଯାଉ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଶାସକ ଦଳର ରାଜନୈତିକ ଥଇଥାନ କେନ୍ଦ୍ର କରା ନ ଯାଉ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟକୁ ସାଇନ୍ ବୋର୍ଡ ମାଧ୍ୟମରେ ସୀମିତ ନ ରଖି ଉପଯୁକ୍ତ କ୍ଷମତା ପ୍ରାପ୍ତ ଅଧିକାରୀ, କର୍ମଚାରୀ ଓ ଭିତିଭୁମି ଯୋଗାଇ ଦିଆଯାଉ । ଏଭଳି ୯ଟି ଦାବୀ ନେଇ ମଙ୍ଗଳବାର ବିଜେପି ତରଫରୁ ରାଜଭବନ ସମ୍ମୁଖରେ ବିଶାଳ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏସମ୍ପର୍କରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହ ଏହି ସ୍ଥିତିର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଛି । ବିଜେପି ନେତୃବୃନ୍ଦ ଦାବି କରିଛନ୍ତି ଯେ ପରିଷଦ ଅନ୍ତର୍ଗତ ଗ୍ରାମାଂଚଳର ବିକାଶ ପାଇଁ ଅତ୍ୟନ୍ତ ଅନ୍ନୁନତ ବ୍ଲକ, ଅନ୍ନୁନତ ବ୍ଲକ, ବିକାଶଶୀଳ ବ୍ଲକ ଓ ବିକଶିତ ବ୍ଲକ ର ସର୍ବାଙ୍ଗିର ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୀର୍ଘ ମିଆଦି ଯୋଜନା କରାଯାଉ । ଏହି ଅଂଚଳର ବିକାଶ ଧାରାକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୧୦୦୦ କୋଟି ଟଙ୍କା ପାଣ୍ଠିର ବ୍ୟବସ୍ଥା କରାଯାଉ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧିନିୟମ-୨୦୦୦ର ବିରୁଦ୍ଧାଚରଣ କରି ପଶ୍ଚିମ ଓଡିଶା ବିକାଶ ପରିଷଦରେ ଆନୁପାତିକ ହାରରେ ନିର୍ବାଚିତ ସାଂସଦ ଓ ବିଧାୟକ ତଥା ବିଶେଷଜ୍ଞଙ୍କ ଅନୁପସ୍ଥିତିରେ କେବଳ ଅଧ୍ୟକ୍ଷ ଓ ସିଇଓଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉନ୍ନୟନ ମୂଳକ ପ୍ରକଳ୍ପକୁ ସ୍ୱତନ୍ତ୍ର ଅଡିଟ୍ ସିଏଜିଙ୍କ ଦ୍ୱାରା କରାଯାଉ ଏବଂ ସିଏଜିଙ୍କଙ୍କ ମନ୍ତବ୍ୟ ଆସିବା ପର୍ଯ୍ୟନ୍ତ ସମସ୍ତ ପ୍ରକଳ୍ପକୁ ଅସିଦ୍ଧ ଘୋଷଣା କରାଯାଉ । ପଶ୍ଚିମ ଓଡିଶା ବିକାଶ ପରିଷଦର ସମସ୍ତ ସାଂସଦ / ସମସ୍ତ ବିଧାୟକ ଓ ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଭୋଟିଂ ଅଧିକାର କ୍ଷମତା ପ୍ରଦାନ କରାଯିବା ସହ, ଏକ ପୂର୍ଣ୍ଣାଙ୍ଗ ସ୍ୱୟଂ ଶାସିତ ସ୍ଥାୟୀ ପରିଷଦ ଗଠନ କରାଯାଉ । ଏହି ଅଧିନିୟମ ଅନୁଯାୟୀ ପଶ୍ଚିମ ଓଡିଶା ଅନ୍ତର୍ଗତ ବରଗଡ, ଝାରସୁଗୁଡା,ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ଓ ବୈାଦ୍ଧ ଜିଲ୍ଲା ସହିତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡକୁ “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ” ଅଂଚଳରେ ଅନ୍ତର୍ଭୁକ୍ତ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦରେ ୬ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ୩୬ ଗୋଟି ବିଧାନସଭା ଆସନର ୧୧ଗୋଟି ଜିଲ୍ଲା ପରିଷଦ ସହ ୮୯ଟି ପଂଚାୟତ ସମିତି ଓ ୨୮ ଗୋଟି ପୌରପରିଷଦ / ବିଜ୍ଞପିତ ପରିଷଦ ସହ ୨ଟି ମ୍ୟୁନିସିପାଲ କର୍ପୋରେସନ ଅବସ୍ଥିତ । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସର୍ବାଙ୍ଗିନ ବିକାଶ କରି ଆଂଚଳିକ ବୈଷମ୍ୟ ହ୍ରାସ କରିବା ପାଇଁ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ସ୍ଥାଣୁ ଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ଗଣତାନ୍ତ୍ରିକ ପଦ୍ଧତିରେ ଢ଼ାଂଚାଗତ ପରିବର୍ତନ କରି ଏହାକୁ ଏକ ସଂପୂର୍ଣ୍ଣ ସ୍ୱୟଂ ଶାସିତ ସ୍ଥାୟୀ ବିକାଶ ପରିଷଦ ଭାବରେ ଗଠନ କରିବା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡାଯାଇଛି ।
ପଶ୍ଚିମ ଓଡିଶାର ସମସ୍ତ ବିଧାୟକ, ଜନ ପ୍ରତିନିଧି, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ରାଜଭବନ ସମ୍ମୁଖରେ ବି÷କ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ କରିଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜୟନାରାୟାଣ ମିଶ୍ର, ବିଧାୟକ ନାଉରୀ ନାଏକ, ଡ.ମୁକେଶ ମହାଲିଙ୍ଗ, ସୁବାଷ ପାଣିଗ୍ରାହୀ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଶଂକର ଓରାମ, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ସୀମାଂଚଳ ଖଟେଇ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ରଂଜନ ପଟେଲ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବିଭିନ୍ନ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ପଶ୍ଚିମ ଓଡିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରୁ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।


