ପାଠପଢ଼ା ଖର୍ଚ୍ଚ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲା ଝିଅ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପରପୁରୁଷ ପ୍ରେମରେ ପଡି ସ୍ୱାମୀ ଓ ଝିଅର ହାତ ଛାଡିଦେଲା ଶିକ୍ଷୟତ୍ରୀ ମା ।ବର୍ତ୍ତମାନ ପରିସ୍ଥିତିରେ ମାଙ୍କ ଦରମା ଟଙ୍କାରୁ ନିଜର ପଢ଼ାଖର୍ଚ୍ଚ ବହନ ନିମନ୍ତେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହିତ ଏହାର ଏକକିତା ନକଲ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି । ହାଟଡିହି ବ୍ଲକ ସୁନ୍ଦରାପାଳର ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ତାଙ୍କ ବାପା ଜଣେ ବେରୋଜଗାରୀ ହୋଇଥିବାବେଳେ ମା ତେଲକୋଇ ବ୍ଲକର ସିରିଗିଡା ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ତାଙ୍କ ମା ଆଜକୁ ୪ବର୍ଷ ହେବ ସେମାନଙ୍କୁ ପର କରିଦେଇ ପଳାଇଛନ୍ତି । ସେ ଏବେ ୧୫/୧୬କିଲୋମିଟର ଦୁରରୁ ଆସି ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବାବେଳେ ଏତେ ବାଟ ଯିବା ଆସିବା ସମ୍ଭବପର ହୋଉ ନଥିବାରୁ ସେ ନିକଟସ୍ଥ ଏକ ମେସରେ ରହି ପଢ଼ୁଛନ୍ତି । ଯାହାଦ୍ୱାରାକି ପ୍ରତିମାସ ୫ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ତାଙ୍କ ବେରୋଜଗାରୀ ବାପାଙ୍କ ପକ୍ଷେ ଏହା ସମ୍ଭବ ହେଉନି । ତେଣୁ ତାଙ୍କ ମାଙ୍କ ଦରମାରୁ ପ୍ରତିମାସ ତାଙ୍କ ପଢ଼ାଖର୍ଚ୍ଚ ପାଇଁ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ନିବେଦନ କରିଛନ୍ତି । ଉକ୍ତ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଭଗବାନ ଜେନାଙ୍କ କହିବାନୁଯାଇ ସେ ଆମ୍ବୋ ଗ୍ରାମର ପଙ୍କଜିନୀ ଦାସଙ୍କୁ ୨୦୧୦ରେ ଭଲପାଇ ବିବାହ କରିଥିଲେ । ବିବାହର କିଛିମାସ ପରେ ପଙ୍କଜିନୀ ଚାକିରି ପାଇ ଧନୁର୍ଜୟପୁର ଉନ୍ନିତ ହାଇସ୍କୁଲରେ ଶିକ୍ଷକତା କରିଥିଲେ । କିଛିଦିନ ପରେ ତାଙ୍କର ଝିଅଟିଏ ହୋଇଥିଲା । ଝିଅର ଜଗାରଖା ଓ ଭଲମନ୍ଦ ବୁଝିବାପାଇଁ ପଙ୍କଜିନୀଙ୍କ ପରାମର୍ଶ କ୍ରମେ ଭଗବାନ ନିଜ ଚାକିରୀଛାଡି ଘରେ ରହିଥିଲେ । ହସଖୁସିରେ ପରିବାରଟି ଚାଲୁଥିବାବେଳେ ୨୦୧୮ରେ ପଙ୍କଜିନୀଙ୍କ ସହିତ ଅନ୍ୟଜଣେ ଯୁବକଙ୍କ ଫେସବୁକରୁ ପ୍ରେମ ସମ୍ପର୍କ ଗଢ଼ି ଉଠିବାପରେ ପଙ୍କଜିନୀ ତାଙ୍କୁ ଓ ତାଙ୍କ ଝିଅକୁ ଛାଡି ସେହି ପୁରୁଷବନ୍ଧୁଙ୍କ ସହିତ ପଳାଇଛନ୍ତି । ଆଜି ପର୍ଯ୍ୟନ୍ତ ନିଜ ଝିଅକୁ ବି ଦେଖିବାକୁ କି ତାର ଭଲମନ୍ଦ ବୁଝିବାକୁ ଆସୁନାହିଁ । ବର୍ତ୍ତମାନ ସମୟରେ ଝିଅର ପଢ଼ାଖର୍ଚ୍ଚ ବୁଝିବାକୁ ତାଙ୍କ ପାଖରେ ପଇସା ନଥିବାରୁ ପଙ୍କଜିନୀଙ୍କ ଦରମାରୁ ଝିଅର ପଢ଼ାଖର୍ଚ୍ଚ ବହନ କରିବାକୁ ସେ ମଧ୍ୟ ଦାବି କରିଛନ୍ତି ।


