ଶିକ୍ଷକଙ୍କ ଧର୍ମଘଟ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ, ଦୁଇଟି ସ୍କୁଲରେ ତାଲା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଶିକ୍ଷକ ମାନଙ୍କ ଧର୍ମଘଟ ଯୋଗୁଁ ହାଟଡିହି ବ୍ଲକରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କେଉଁ ସ୍କୁଲରେ ଜଣେ ଜଣେ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଜଗି ବସିଛନ୍ତି ତ ଆଉ କେଉଁଠି ସମ୍ପୁର୍ଣ୍ଣ ତାଲା ଝୁଲୁଛି । ସୁଚନାରୁ ଜଣାଯାଇଛି ଯେ ହାଟଡିହି ବ୍ଲକରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୯୯ଟି ସ୍କୁଲ ଥିବାବେଳେ ୬୩୭ଜଣ ଶିକ୍ଷକ ଶିକ୍ଷାଦାନ କରିଥାନ୍ତି । ତନ୍ମଧ୍ୟରୁ ୪୬୨ଜଣ ନୁତନ ପେନସନ ଭୁକ୍ତ ଶିକ୍ଷକ ବର୍ଗର ହୋଇଥିବାବେଳେ ୧୩୨ଜଣ ରେଗୁଲାର, ୧୧୪ଜଣ କନିଷ୍ଠ ଶିକ୍ଷକ, ୧୮ଜଣ ଗଣ ଶିକ୍ଷକ, ୧୧ଜଣ ଏମ.ଏଲ.ଇ ଶିକ୍ଷକ । କିନ୍ତୁ ବର୍ତ୍ତମାନ ୩ଦଫା ଦାବିନେଇ ନୁତନ ପେନସନ ଭୁକ୍ତ ଶିକ୍ଷକ ମାନେ ଆନେ୍ଦାଳନ ପାଇଁ ୩ଦିନିଆ ସାମୁହିକ ଛୁଟିରେ ରହିବାରୁ ଆଜି ଅନେକ ବିଦ୍ୟାଳୟରେ ଏହାର ପ୍ରଭାବ ପଡିଛି । ଆଜି ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଦୁଇଜଣ ଶିକ୍ଷକ ଥିବାବେଳେ ସେମାନେ ଛୁଟିରେ ପଳାଇ ଯିବାରୁ କୌଣସି ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇ ପାରିନାହିଁ । ସେହିପରି ନୁଆରଗୁଡି ପ୍ରାଥମିକ ବିଦ୍ୟାଳୟରେ ତିନିଜଣ ଶିକ୍ଷକ ଆନେ୍ଦାଳନ ପାଇଁ ଛୁଟିରେ ପଳାଇ ଯିବାରୁ ସେଠାରେ ମଧ୍ୟ ତାଲା ଝୁଲୁଛି । ସେହିପରି ଦନେଇପୁର ପ୍ରାଥମିକ ବିଦ୍ୟାଳୟ, ସୁଲଣ ପ୍ରାଥମିକ ବିଦ୍ୟାଳୟ, ନିଉଦାନୀ ପ୍ରାଥମିକ ବିଦ୍ୟାଳୟ, ବାଲିଆ ପ୍ରାଥମିକ ବିଦ୍ୟାଳୟ, ମଢ଼େଇ ସାହି ପ୍ରାଥମିକ ବିଦ୍ୟାଳୟ, ଭଅଁରା ପ୍ରାଥମିକ ବିଦ୍ୟାଳୟ, ଆଇତିପୁର ୟୁଜିୟୁପି ସ୍କୁଲ, ପାଟ ଜାଗୁଳାଇ ୟୁପିସ୍କୁଲ ମିଠିଗାଁ, ନିଶାକର ନୋଡାଲ ୟୁପି ସ୍କୁଲ ସଢ଼ା ନାହା ରେ ସମସ୍ତ ଶିକ୍ଷକ ମାନେ ଆନେ୍ଦାଳନକୁ ପଳାଇଥିବାରୁ ସ୍କୁଲ ଗୁଡିକ ଜଣେ ଜଣେ ଶିକ୍ଷକ ଦିଆଯାଇ କେବଳ ଖୋଲା ଯାଇଛି । ଏପରିକି କିଛି ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହୋଇପାରି ନଥିବା ଜାଣିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଯେ ଅନେକ ସିଆରସିସି ଆନେ୍ଦାଳନକୁ ପଳାଇଥିବାରୁ ବନ୍ଦ ସ୍କୁଲର ସମସ୍ତ ତଥ୍ୟ ମିଳିପାରି ନଥିବା ଏବିଇଓ ଧନେଶ୍ୱର ଖଣ୍ଡେଇ କହିଛନ୍ତି ।


