ପାତାଳକୁ ରାସ୍ତା
ପୃଥିବୀରେ ବହୁ ଗୁମ୍ଫା ଅଛି । ଯାହାର ପଛରେ ରହିଛି କିଛି ନା କିଛି ଐତିହାସିକ କାରଣ । ହେଲେ କୁବେର ଗୁମ୍ଫାର ରହସ୍ୟ ଏବେ ବି ଅନେକଙ୍କୁ ଅଜଣା । ଏହି ଗୁମ୍ଫାର କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠେ । ୟୁରୋପର ଜର୍ଜିଆ ଅନ୍ତର୍ଗତ ଅବକାଜିଆ ସ୍ଥିତ ବିଶ୍ୱର ସବୁଠାରୁ ଏହି ଗଭୀର ଗୁମ୍ଫାକୁ ୱେରନ୍ୟା ବୋଲି କୁହାଯାଏ । ଅପର ପକ୍ଷରେ ଅନୁସନ୍ଧାନ ତଥ୍ୟ ଅନୁଯାୟୀ ଏହା ପାତାଳକୁ ରାସ୍ତା ବୋଲି ମଧ୍ୟ କୁହାଯାଇଥାଏ । ଏହା ବ୍ଲାକ ସି ଉପକୂଳରେ ଅବକାଜିଆ ନିକଟରେ ଅବସ୍ଥିତ । ଏହା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାକୁ ବର୍ଷରେ ମାତ୍ର ୪ ମାସ ଯିବା ସମ୍ଭବ ହୋଇଥାଏ । ୧୯୬୦ ମସିହାରେ ଏହି ଗୁମ୍ଫାର ସନ୍ଧାନ କରାଯାଇଥିଲା । ୨୦୦୧ ମସିହାରେ ୟୁକ୍ରେନର ଏକ ସ୍ପେଲିଓଲଜିଷ୍ଟିକ ଦଳ କୁବେର ଗୁମ୍ଫାର ୧୭୧୦ ମିଟର ଯାତ୍ରା କରିବା ପରେ ଏହା ବିଶ୍ୱର ସବୁଠାରୁ ଗଭୀରତମ ଗୁମ୍ଫା ବୋଲି ମତ ଦେଇଥିଲେ । ୨୦୧୨ରେ ବିଭିନ୍ନ ଦେଶର ୫୯ ଜଣିଆ ଏକ ସ୍ପେଲିଓଲଜିଷ୍ଟିକ ଦଳ କୁବେର ଗୁମ୍ଫାର ୨୧୯୭ ମିଟର ଗସ୍ତ କରି ରେକର୍ଡ କରିଥିଲେ । ଏମାନେ ଗୁମ୍ଫା ମଧ୍ୟରେ ସେଠାରେ ୨୭ ଦିନ ଅତିବାହିତ କରିଥିଲେ । ଯଦିଓ ଏହି ଗୁମ୍ଫାର ଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହୋଇ ନାହାନ୍ତି ତେଣୁ ଏହା ପାତାଳକୁ ରାସ୍ତା ବୋଲି ସ୍ଥାନୀୟ ଲୋକଙ୍କ ମୁହଁରୁ ଶୁଣାଯାଏ ।


