ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମଓୟୁ ସ୍ୱାକ୍ଷର
ଭୁବନେଶ୍ୱର, (ୱାଇଏନ୍ଏସ୍): ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଣ୍ଟ କର୍ପୋରେସନ(ଇଡକୋ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ହୋଇଯାଇଛି। ଏହି ଅବସରରେ ଆଇଓସିଏଲ୍ ଦ୍ୱାରା ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶବେଳେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ଯେ, ପାରାଦ୍ୱୀପ ଠାରେ ସ୍ଥାପନ ହେବାକୁ ଥିବା ଏହି ପ୍ଲାଷ୍ଟିକ ପାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ହେବ ଓ ଏହାଦ୍ୱାରା ଓଡ଼ିଶାରେ ପଲିମର ଶିଳ୍ପର ଡାଉନ୍ଷ୍ଟ୍ରିମ୍ ପାଇଁ ସହାୟତା ମିଳିବ। ସେ କହିଛନ୍ତି ଯେ, ସ୍ଥାନୀୟ ଉଦ୍ୟମୀମାନଙ୍କର ସହାୟତା ପାଇଁ ଆଇଓସିଏଲ୍ ଆନୁସଙ୍ଗୀକ ଓ ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଏହି ପ୍ଲାଷ୍ଟିକ୍ ପାର୍କର ସଫଳତା କାମନା କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପାରାଦୀପ ପ୍ଲାଷ୍ଟିକ୍ ପାର୍କ ନେଇ ପ୍ରଧାନ କହିଛନ୍ତି ଯେ, ପାରାଦୀପ ଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ୮୦ଟି ଶିଳ୍ପଭିତ୍ତିକ ୟୁନିଟ୍ ତଥା ଇଣ୍ଡିଆନ ଅଏଲ ଏବଂ ଇଡକୋର ମିଳିତ ଉଦ୍ୟୋଗରେ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ । ଏହା ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତରେ ପ୍ରଥମ ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟକ୍ଷମ ପାରାଦୀପ ପ୍ଲାଷ୍ଟିକ ପାର୍କ । ଏହା ପ୍ଲାଷ୍ଟିକର ଆମଦାନୀକୁ ହ ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ । ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପାରାଦୀପ ସମେତ ଓଡିଶାର ଖୋର୍ଦ୍ଧା ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲ୍ଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପ ସମୂହ ଗଢି ଉଠିଥିବା ବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନା ନିମନ୍ତେ ଇନସିଏଟିଭ୍ ଦେବା ପାଇଁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି । ଯଦ୍ୱାରା ପ୍ଲାଷ୍ଟିକ୍ ପାର୍କ ପାଇଁ ଶସ୍ତାରେ କଞ୍ଚାମାଲ ମିଳିଲେ ବିଶେଷ ଭାବରେ ଓଡିଆ ଯୁବକମାନେ ଉଦମୀ ହେବାର ପ୍ରଚେଷ୍ଟା କରିବେ । ତେଣୁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ୍ ଟନ୍ ପିଛା ୨ ହଜାର ଟଙ୍କାରେ କଞ୍ଚାମାଲ କିଣି ଓଡିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ । ଏହା ଦ୍ୱାରା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହେବ ବୋଲି ପ୍ରଧାନ ପ୍ରକାଶ କରିଥିଲେ ।


