ପାରିବାରିକ କଳହରୁ କିରୋସିନ ଢାଳି ମା ଓ ଦେଢ ବର୍ଷର ଶିଶୁର ମୃତ୍ୟୁ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ପଂଚାୟତ ତେଂଟୋଇ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ କିରୋସିନ ଢାଳି ହୋଇ ମାର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଦେଢ ବର୍ଷର ଶିଶୁ ପୁତ୍ରର ମଧ୍ୟ ମୃତ୍ୟୁ ଘଟିଛି । ମା ଓ ଶିଶୁ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ବାପ ଘର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗୁରୁବାର ସକାଳେ କୌଣସି କାରଣକୁ ନେଇ ପରିବାରରେ ପାଟିତୁଣ୍ଡ ହୋଇଥିଲା । କଳହ ପରେ ମୃତାଙ୍କ ସ୍ୱାମୀ ତପନ ନିଜ ବିଲକୁ ସାର ପକାଇବା ପାଇଁ ଯାଇଥିବା ବେଳେ ଶାଶୁ ଚପଳା ଘର ବାହାରକୁ ଯାଇଥିଲେ । ଏହି ସମୟରେ ମହିଳା ଜଣଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପାଖରେ ତାଙ୍କର ଦେଢ ବର୍ଷର ଶିଶୁ ପୁତ୍ର ରହିଥିଲା । ଘରୁ ଧୂଆଁ ବାହାରୁ ଥିବାର ପଡିଶା ଲୋକ ଦେଖି ଘରକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେତେ ବେଳକୁ ମହିଳା ଗୁରୁତର ଅବସ୍ଥାରେ ରହିଥିଲା । ପରିବାର ଲୋକ ଓ ଗ୍ରାମବାସୀଙ୍କ ସହଯୋଗରେ ଦେଢ ବର୍ଷର ଶିଶୁ ପୁତ୍ର ଓ ମହିଳାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନସ ସହାୟତାରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଶିଶୁକୁ ପ୍ରାଥମିକ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଶିଶୁଟିର ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରଥମେ ଶିଶୁକୁ ଶିଶୁ ଭବନ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତ ମହିଳା ଜଣଙ୍କ ବାପଘର ଖୋର୍ଦ୍ଧା ଜିଲ୍ଲା ବନମାଳିପୁର ଗୁଆପୁର ଗ୍ରାମରେ । ତାଙ୍କ ନାମ ଲିପି । ତପନ ଲିପିକୁ ପାଂଚ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଘଟଣା ଘଟିବା ପରେ ଲିପିର ବାପା ମନମୋହନ ସେଠି ଓ ମା ରୁନି ସେଠୀ ଘଟଣାସ୍ଥଳରେ ପହଂଚିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି । ଲିପି ତା ଶାଶୁ ଘର ଭଲରେ ରହିଥିବା ଓ ସେମାନଙ୍କର ଆଗରୁ ଏପରି କୌଣସି କଳି ଝଗଡା ହୋଇ ନଥିବା ଲିପିର ମା ରୁନି ପ୍ରକାଶ କରିଛନ୍ତି । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲିପିର ଶବ ରହିଥିବା ବେଳେ ମାଜିଷ୍ଟ୍ରେଟ ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତିରେ ତଦନ୍ତ କରାଯାଉଛି । ଏପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସି ନଥିବା ବେଳେ ପୋଲିସ କୌଣସି ମାମଲା ରୁଜୁକରି ନଥିବା ଥାନାଧିକାରୀ ଅଭୟ କୁମାର ବେହେରା ପ୍ରକାଶ କରିଛନ୍ତି ।


