ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି କଳିଙ୍ଗଷ୍ଟୁଡ଼ିଓ ଛକରେ ନିର୍ମାଣ ପାଇଁ ଦାବି କଲା ପାଇକ ମହାସଂଘ
ଭୂବନେଶ୍ୱର, (ୱାଇଏନ୍ଏସ୍): ଦୁର୍ଦ୍ଦଶ ପାଇକଜାତିର ଚିରନମସ୍ୟ ଥିଲେ ପିଣ୍ଡିକି ବାହୁବଳେନ୍ଦ୍ର । ରଣରଙ୍କା ପାଇକମାନଙ୍କୁ ମେଳି କରି ଇଂରେଜ ବିରୁଦ୍ଧରେ ଏକ ନୂତନ ଶୈଳୀରେ ଭୁବନେଶ୍ୱର ଉପକଣ୍ଠ ଦେଉଳିଆ ମୁଣ୍ଡିଆ ଗୁମ୍ଫାରେ ନିଜର ଯୁଦ୍ଧ କୌଶଳର ପରାକ୍ରମ ପ୍ରକାଶ କରିଥିଲେ ବୋଲି ଆଜି ଏହି ମହାନ୍ ସାରଥୀ, ପାଇକ ଜାତିର ମଉଡ଼ମଣିଙ୍କ ଶହୀଦ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଅଞ୍ଚଳରେ ଥିବା କଳିଙ୍ଗ ଷ୍ଟୁଡ଼ିଓ ଛକଠାରେ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିୂମର୍ତ୍ତି ନିର୍ମାଣ କରିବା ସହିତ ସେହି ରାସ୍ତାଙ୍କୁ ତାଙ୍କ ନାମରେ ନାମିତ କରିବାକୁ ମହାସଂଘ ପକ୍ଷରୁ ପୁନର୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ମହାସଂଘ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମହାସଂଘ ଦାବି କରିଛି । ଆଜିର ଏହି ଐତିହାସିକ ଦିବସରେ କୋଭିଡ କଟକଣା ମଧ୍ୟରେ ଉପଦେଷ୍ଟା ବିଭୂତି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣ ପାଟ୍ଟଶାଣୀ, ରାଜ୍ୟ ସଂଯୋଜକ କେଦାର ଦାସ ଏବଂ ବହୁ ପାଇକ ସାରଥୀମାନେ ଯୋଗଦାନ କରିଥିଲେ ।


