ପୀତାମ୍ବରୀର ପୀଠରେ ମାଆଙ୍କ ନବରାତ୍ର ପୂଜା
ବାଲେଶ୍ୱର, (ସରୋଜ ପଣ୍ଡା):ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କର ଶାରଦୀୟ ପୂଜା ଅବସରରେ ପ୍ରତିପଦ ତିଥିଠାରୁ ବିଭିନ୍ନ ଶକ୍ତିପୀଠାରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ପ୍ରାତଃକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହିତ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ବ୍ରତଧାରୀମାନେ ଭକ୍ତିର ସହ କରୁଛନ୍ତି ମା’ଙ୍କର ଆରଧନା । ଏହିକ୍ରମରେ ବାଲେଶ୍ୱର ସହର ଉପକଣ୍ଠ ତାମୁଳିଆ ସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରୀ ସିଦ୍ଧ ମହାଶକ୍ତି ପୀଠରେ ରୀତିନୀତି ଅନୁସାରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ପ୍ରାତଃରେ ପଞ୍ଚ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଘଟ ଓ ମଣ୍ଡଳ ସ୍ଥାପନ ସହ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିଲା । ସେହିପରି ସଂଧ୍ୟାରେ ସପ୍ତସତୀ ଚଣ୍ଡିପାଠ ଓ ରାତିରେ ୧୦୮ ଆହୁତି ଆଦି କର୍ମକାଣ୍ଡ ମାଧ୍ୟମରେ ପ୍ରଥମ ଦିନରେ ପୀଠର ଅଧିଷ୍ଠାତ୍ରୀ ମା’ ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରାଯାଇଛି । ପଣ୍ଡିତଙ୍କ ବେଦମନ୍ତ୍ରରେ ସମଗ୍ର ପରିବେଶ ହୋଇ ଉଠିଥିଲା ମନ୍ତ୍ରମୟ । ମାଆଙ୍କର ନବଶକ୍ତିକୁ ଶ୍ରଦ୍ଧାର ସହ ଆହ୍ୱାନ ପୂର୍ବକ ଏଠାରେ ପୂଜା କରାଯାଉଛି । ପ୍ରଥମ ଦିନରେ ମା’ ବଗଳାମୁଖୀଙ୍କୁ ଶୈଳପୁତ୍ରୀ ସ୍ୱରୂପରେ ପୂଜା କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠରେ ମା’ କାତ୍ୟାୟନୀ, ସପ୍ତମରେ ମା’ କାଳରାତ୍ରି, ଅଷ୍ଟମରେ ମହାଗୌରୀ ଏବଂ ନବମ ଦିବସରେ ଆଦିଶକ୍ତି ‘ସିଦ୍ଧିଦାତ୍ରୀ’ ସ୍ୱରୂପରେ ମା’ଙ୍କୁ ଅର୍ଚ୍ଚନ କରାଯିବ ବୋଲି ପୀତାମ୍ବରୀ ମହା ଶକ୍ତିପୀଠ ପକ୍ଷରୁ ସୂଚନା ଦିଆଯାଇଛି ।


