ପୁଣି ଆନ୍ଧ୍ର ଓଡିଶା ସୀମାକୁ ନେଇ ବିବାଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସୀମାକୁ ନେଇ ବିବାଦ, ମୁହାଁମହିଁ ହୋଇଛନ୍ତି ଦୁଇ ଗ୍ରାମବାସୀ, ତିତିଲି ମହାବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାରଘର ଗ୍ରାମବାସୀଙ୍କୁ ପାହାଡ ଶିଖରରୁ ଆଣି ଆନ୍ଧ୍ରର କଣ୍ଡାମେରା ନିକଟରେ ନୂଆ ବାରଘର ଗ୍ରାମ ଥଇଥାନ କରାଯାଇ ରହିଆସୁଥିବା ବେଳେ ଓଡିଶା ଜମିକୁ ଜବରଦଖଲ କରିଛନ୍ତି ଆନ୍ଧ୍ର ଚାଷୀ ଯାହାର ପ୍ରତିବାଦ କରି ଆସୁଛନ୍ତି ଓଡିଶା ବାସୀ । ଖବର ପାଇ ଘଟଣା ସ୍ଥଳ ଗସ୍ତ କରିଛନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ପୂର୍ବରୁ ମାପଚୂପ କରାଯାଇଛି । ଯଦି ବିବାଦ ଦେଖାଦେଇଛି ତାହା ହେଲେ ପୁଣି ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପୁଣି ଜଏଣ୍ଟ ଡିମାର୍କେସନ କରାଯିବ, ଉଭୟ ରାଜ୍ୟର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ବୈଠକ କରାଯାଇ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରାଯାଉଛି । ଅନ୍ୟପକ୍ଷରେ ଗତ ୨୦୧୮ ମସିହା ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ମହାବାତ୍ୟା ପାହାଡ ଧସି ବାରଘର ଗ୍ରାମର ୧୬ଜଣ ବ୍ୟକ୍ତି ମୃତ୍ୟୁବରଣ କଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟସ୍ତରୀୟ ପଦାଧିକାରୀ, ନେତା ପ୍ରମୁଖ ଉକ୍ତ ଅଞ୍ଚଳକୁ ଗସ୍ତ କରି ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ନହେବା ସକାଶେ ପାହାଡ ଉପରେ ଅବସ୍ଥିତ ବାରଘର ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ଗ୍ରାମବାସୀଙ୍କୁ ଉପଯୁକ୍ତ ଥଇଥାନ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ବାରଘର ଗ୍ରାମବାସୀ ଲୋକଙ୍କୁ ଥଇଥାନ କରିବାପାଇଁ ୮୨ଟି ପରିବାର କୁ ପାହାଡ ତଳି ଅଞ୍ଚଳକୁ ତଥା ଆନ୍ଧ୍ର ପ୍ରଦେଶର କଣ୍ଡାମେରା ଗ୍ରାମ ନିକଟସ୍ଥ ତଥା ଓଡିଶାର ଏକ ସ୍ଥାନ ନିରୂପଣ କରି ବିଜୁପକ୍କା ଘର ଯୋଜନା ଅନ୍ତର୍ଗତରେ ଗୃହ ନିର୍ମାଣ କରାଯାଇ ଯୋଗାଇ ଦିଆଯାଇଥିଲା । ଏହା ନୂଆ ବାରଘର ଗ୍ରାମ ନାମକରଣ କରାଯାଇଛି । ଯେହେତୁ ଉକ୍ତ ଗ୍ରାମଟି ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାରୁ ପୂର୍ବରୁ ସେହି ଅଞ୍ଚଳରେ ବସବାସ କରୁଥିବା ଆନ୍ଧ୍ର ପ୍ରଦେଶର କଣ୍ଡାମେରା ଗ୍ରାମର ଅଧିବାସୀମାନେ ଓଡିଶା ଲୋକଙ୍କ ଥଇଥାନ ବ୍ୟବସ୍ଥାକୁ ବିରୋଧ କରିଆସୁଛନ୍ତି ଏବଂ ବେଆଇନ ଭାବେ ଓଡିଶାର ଜମିକୁ ଜବର ଦଖଲ କରିବା ସହ ଜେସିବି ସାହାର୍ଯ୍ୟରେ ସମତୁଳ କରି ପୋଖରୀ, ଖେଳପଡିଆ, ଚାଷ ଜମି, ରାସ୍ତା ଆଦି ନିର୍ମାଣ କରିବାରେ ଲାଗିଛନ୍ତି । ତେବେ ଆନ୍ଧ୍ରର ଏପରି କାର୍ଯ୍ୟ ଯୋଗୁଁ ଓଡିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଏପରି ଅକ୍ତିଆର ପଣକୁ ତୁରନ୍ତ ରୋକ ନଲଗାଗଲେ ଆଗାମୀ ଦିନରେ ଏହି ବାରଘର ଗ୍ରାମ ଓଡିଶା ମାନଚିତ୍ରରୁ ବିଲିନ ହୋଇ ଆନ୍ଧ୍ର ମାନଚିତ୍ରରେ ଯୋଗ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଗ୍ରାମବାସୀଙ୍କ ଅଭି ଯୋଗ କ୍ରମେ ଆଜି ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଉକ୍ତ ସ୍ଥାନକୁ ପରିଦର୍ଶନରେ ଯାଇଥିବା ବେଳେ ଯାଇଥିବାବେଳେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଖବର ପାଇ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଗାରବନ୍ଧ ଥାନାର ଏସ୍‌.ଆଇ. ସୁଶାନ୍ତ ସେଠୀ ପ୍ରମୁଖ ମଧ୍ୟ ପହଂଚିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ