ପୁଣି ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି ନାଲି ଆଖି ଦେଖେଇଲା ମାଓ ସଙ୍ଗଠନ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ବଜାରରେ ରବିବାର ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । କୁର୍ତ୍ତମଗଡ଼ ପୂର୍ବତନ ସରପଞ୍ଚଙ୍କୁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ  ହତ୍ୟା ଧମକ ଦିଆଯାଇଛି । କୁର୍ତ୍ତମଗଡ଼ର ବିଭିନ୍ନ ସ୍ଥାନରେ ପୂର୍ବତନ ସରପଞ୍ଚ ସିରିଶ ମଲ୍ଲିକଙ୍କ ନାମରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ଏବଂ ପୋଷ୍ଟର ମାଧ୍ୟମରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି । ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀ ହତ୍ୟା କାଣ୍ଡରେ ଶିରିଶ ମଲ୍ଲିକଙ୍କ ହାତ ଥିବା ବ୍ୟାନର ପୋଷ୍ଟର ରେ ଦର୍ଶାଯାଇଛି । ଏଥିସହିତ ୧୩ ସେପ୍ଟେମ୍ବରକୁ ସହିଦ୍ ଦିବସ ଭାବରେ ପାଳନ କରିବାକୁ ବ୍ୟାନର ମାଧ୍ୟମରେ ଆହ୍ୱାନ ଦିଆଯାଇଛି । ଏଭଳି ପୋଷ୍ଟର ବ୍ୟାନର ଦେଖି ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହା ପ୍ରକୃତରେ ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଛି ନା କୌଣସି  ଖଳ ପ୍ରକୃତିର ଲୋକ ଏଭଳି ପୋଷ୍ଟର ବ୍ୟାନର ଲଗାଇଛି ସେନେଇ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବିଷୟ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ