ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ୍ କରି ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଦେବଭୂମି କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଜୀଙ୍କର ସମାଧି ଓ ପ୍ରତିମୂର୍ତିର ଉନ୍ମୋଚନହୋଇଯାଇଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଜଗନ୍ନାଥ ଧାମ
ପୁରୀରୁ ଭିଡ଼ିଓ ପ୍ଲାଟଫର୍ମରେ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଭେଟି ସନାତନୀ ଧର୍ମୀଙ୍କ ପାଇଁ ଲମ୍ବା ସମୟ ଧରି ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଢେଇ ହଜାର ବର୍ଷ ପୂର୍ବରୁ ସମାଜ ଦୋଛକିରେ ଥିବା ବେଳେ ଆଦି ଶଙ୍କରାଚାର୍ଯ୍ୟ କମ୍ ବୟସରେ ଦେଶ ପରିଭ୍ରମଣ କରିବା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ବିଚାର ପଦ୍ଧତିର ପ୍ରଚାରପ୍ରସାର କରିଥିଲେ । ଭାରତର ଐତିହ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଚାରି ଧାମ ଯଥା ପୁରୀ, ରାମେଶ୍ୱରମ, ବଦ୍ରୀନାଥ ଓ ଦ୍ୱାରକା ଆଦିରେ ମଠ ସ୍ଥାପନା କରିଥିଲେ । ଏହି ପରମ୍ପରା ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମଗ୍ର ସମାଜର ଆସ୍ଥା ଭଗବାନ କେଦାର ବାବାଙ୍କ ପାଖରେ ପୂଜାର୍ଚ୍ଚନା କରି ନିଜର ସମର୍ପଣ ଭାବ ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ଦ୍ୱାରା ଲୋକାର୍ପିତ ହୋଇଥିବା ପବିତ୍ର କେଦାରନାଥ ଧାମରେ ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ପ୍ରତିମୂର୍ତି ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାମିକ ଚେତନାର ଅନୁଭବ କରାଇବ । ଏହି କାର୍ଯ୍ୟକ୍ରମ ଭାରତ ବୈଶ୍ୱିକ ମହାଶକ୍ତିରେ ପରିଣତ ହେବା ଦିଗରେ ବଡ଼ ପ୍ରତିଫଳନ ବୋଲି
ସେ କହିଛନ୍ତି । ସେହିରି ପବିତ୍ର ଭାରତୀୟ ସନାତନ ଧର୍ମର ପ୍ରଚାରକ ଆଦି ଶଙ୍କରାଚାର୍ଯ୍ୟଙ୍କ ଏହି ଭବ୍ୟ ପୂର୍ଣ୍ଣାଙ୍ଗ ପ୍ରତିମା ଉନ୍ମୋଚନ କାର୍ଯ୍ୟକ୍ରମରେ ପୁରୀ ସମେତ ସାରା ଭାରତବର୍ଷରୁ ସନାତନୀ ଧର୍ମୀ ଏକାଠି ହେବା ଗୌରବର ଦିନ । ପୁରୀ ଗୋବର୍ଦ୍ଧନ ପୀଠ ସ୍ଥାନରେ ସମସ୍ତ ମାନଗଣ୍ୟ ବ୍ୟକ୍ତି ଓ ସାଧୁସନ୍ଥ ମଧ୍ୟ ଏକାଠୀ ହେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ଯେ ମଠର ମହନ୍ତ, ଧର୍ମାଚାର୍ଯ୍ୟ କେବଳ ପୂଜାର୍ଚ୍ଚନାର ଅଙ୍ଗ ନୁହଁନ୍ତି । ମୂଳତଃ ଆମ ସମାଜରେ ବୁଦ୍ଧି, ଜ୍ଞାନ, ଗଣିତ, ବିଜ୍ଞାନ ଓ ଚିକିତ୍ସାଶାସ୍ତ୍ରର ପ୍ରୟୋଗଶାଳା । ପୁରୀ ସ୍ଥିତ ଗୋବର୍ଦ୍ଧନ ପୀଠ ବୈଦିକ ଗଣିତର ଆଦ୍ୟ କେନ୍ଦ୍ର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାକ୍ଷାତ୍ ଦର୍ଶନ କରିବା ଅବସରରେ କହିଛନ୍ତି ଯେ ଭାରତବର୍ଷରେ ଧୀରେ ଧୀରେ ସବୁ ତୀର୍ଥ କ୍ଷେତ୍ର ଗୁଡ଼ିକୁ ପ୍ରାଥମିକତା ଭିତିରେ ବିକାଶ କରିବା ପାଇଁ ଭାରତ ସରକାର ଦାୟିତ୍ୱ ନେଇଛନ୍ତି । ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ ଧାମ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକ ଥିବା ଅନୁମତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଥମେ ପୁରୀ ସ୍ଥିତ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ଯୋଗଦେଇଥିଲେ । ପରେ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି
ତାଙ୍କର ଆଶୀର୍ବାଦ ନେଇଥିଲେ । ଏହବ୍ୟତିତ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମସ୍ତଙ୍କ ନିରାମୟ ଜୀବନଯାପନ କାମନା କରିଥିଲେ । ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପିିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ଏବଂ ପୁରୀର ବିଭିନ୍ନ ମଠର ମଠାଧୀଶ ଓ ସାଧୁସନ୍ଥ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ