ପୁରୁଣାରାସ୍ତାକୁ ଦେଖାଇ ବିଲ କରିନେବାକୁ ମସୁଧା : ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କୋରୁଆ ଗ୍ରାମରେ ଥିବା ଏକ ପୁରୁଣା କଂକ୍ରୀଟ ରାସ୍ତାକୁ ଦେଖାଇ ଏବେ ୩ଲକ୍ଷ ଟଙ୍କାର ମିଥ୍ୟା ବିଲ କରିନେବାକୁ ମସୁଧା ଚାଲିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପୁରୁଷୋତ୍ତମପୁର ପଂଚାୟତର ଗୋବରୀ କେନାଲ ବନ୍ଧ ଠାରୁ କୋରୁଆ ଗ୍ରାମ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତାଟି ସିମେଂଟ କଂକ୍ରୀଟ ରାସ୍ତା ଥିବାବେଳେ ସେହି ରାସ୍ତା ଉପରେ ପ୍ୟାଚ ପକାଇ ବିଗତ ସାଧାରଣ ନିର୍ବାଚନ ସମୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୩ଲକ୍ଷ ଟଙ୍କା ମିଥ୍ୟା ବିଲ କରିନେବାକୁ ଯୋଜନା କରାଯାଇଥିବା ବେଳେ ସେତେବେଳେ ଏସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ବିଲ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ସେହି ପ୍ରକଳ୍ପ ଉପରେ ମିଥ୍ୟା ବିଲ କରାଇନେବାକୁ ସଂପୃକ୍ତ ପ୍ରକଳ୍ପର କାର୍ଯ୍ୟାଦ୍ଦେଶ ଥିବା ପଂଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସହକାରୀଯନ୍ତ୍ରୀଙ୍କ ମସୁଧା ଚଳାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ କେନ୍ଦ୍ରାପଡା ବିଡିଓ ଓ ପରେ ଗତ ୨୨.୭.୨୦୧୯ ଏବଂ ୫.୦୮.୨୦୧୯ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ବେଳେ ଗତ ୨୯.୧୦.୨୦୧୯ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ନିକଟରେ ମଧ୍ୟ କେଶ ନମ୍ବର ୨୫୮/୨୦୧୯ରେ ଏକ ମାମଲା ବିଚାରାଧିନ ଥିବା ବେଳେ କିଭଳି ଭାବେ ଏବେ ସରକାରୀ ଅଧିକାରୀମାନେ ମିଳିମିଶି ସେହି ପ୍ରକଳ୍ପର ମିଥ୍ୟାବିଲ କରାଇନେବାକୁ ପ୍ରୟାସ ଚଳାଇଛନ୍ତି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଗ୍ରାମବାସୀଙ୍କ ପକ୍ଷରୁ ଗୁର ମଳିକ, ଖଗେଶ୍ୱର ଦାସ, ଗିରିଧାରୀ ସାହୁ, ହରେକୃଷ୍ଣ ସାହୁ, ନିର୍ମଳ କୁମାର ସାହୁ, ଗୈାରାଙ୍ଗ ଚରଣ ଲେଙ୍କା, ଅନିଲ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଯଦି ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମି ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।


