ପେଟ୍ରୋଲ ପମ୍ପରେ ମାପ ଯାଞ୍ଚ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ମଙ୍ଗଳବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ନିକଟ ସାରୁ ଛକ ନିକଟରେ ଥିବା ଇଏସଏସଏଆର କମ୍ପାନୀ ପେଟ୍ରୋଲ ପମ୍ପରେ ତେଲ ମାପକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେଲ ମାପ କମ ନେଇ ଗୁରୁତର ଅଭିଯୋଗ ପରେ ଶୁକ୍ରବାର ଜିଲ୍ଲା ମାପ ଓ ତୌଲ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଛତ୍ରପୁର ଲିଗାଲ ମେଟ୍ରୋଲଜି ଅଫିସର ବରିଷ୍ଠ ନିରୀକ୍ଷକ ସବିତା ପଣ୍ଡା ଓ ବ୍ରହ୍ମପୁର ଅଫିସର ବରିଷ୍ଠ ନିରୀକ୍ଷକ ସତ୍ୟଜିତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ଅପରାହ୍ନରେ ଏହି ଇଏସଏସଏଆର ପେଟ୍ରୋଲ ପମ୍ପରେ ପହଞ୍ଚି ତେଲର ମାପ ଯାଞ୍ଚ କରିଥିଲେ । ଏହି ସମୟରେ ଇଏସଏସଏଆର କମ୍ପାନୀର ଟିସିଏମ , ପେଟ୍ରୋଲ ପମ୍ପ ମାଲିକ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତେଲର ମାପ ଯାଞ୍ଚ ବେଳେ ମାପ ଯନ୍ତ୍ର ସଠିକ ଥିବା ନିରୀକ୍ଷକ ସତ୍ୟଜିତ ବିଶ୍ୱାଳ ପ୍ରକାଶ କରିଛନ୍ତି ।ସୂଚନା ଥାଉ କି, ଗତ ମଙ୍ଗଳବାର ହିଞ୍ଜିଳି ଥାନା ସାରୁ ଗ୍ରାମର ୨ଭାଇ ରୁନା ସ୍ୱାଇଁ ଓ କୁନା ସ୍ୱାଇଁ ସାରୁ ଛକରେ ଥିବା ଇଏସଏସଏଆର ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଆସିଥିଲେ । ଉକ୍ତ ପେଟ୍ରୋଲ ପମ୍ପରେ ମାପକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଥିଲେ । ଏକ ଲିଟର ତେଲରେ ୫୦ମି.ଗ୍ରା କମ ଥିବା ସେମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ୨ଭାଇ ଭିଡ଼ିଓ କରିବାରୁ ପେଟ୍ରୋଲ ପମ୍ପ ମାଲିକ ଓ ସେମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାରେ ଆଉ କିଛି ଲୋକ ଜଡ଼ିତ ହୋଇଥିଲେ । ଘଟଣା ନେଇ ଉଭୟ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା । ପରେ ଥାନାରେ ୨ଟି ମାମଲା ନଂ ୬୦୨ ଓ ୬୦୩/୨୧ ରୁଜୁ ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡ଼ିଓ ଭାଇରାଲ ପରେ ହିଂଜିଳିକାଟୁ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ । ଫଳରେ ମାପ ଓ ତୌଲ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ପେଟ୍ରୋଲ ପମ୍ପରେ ତେଲ ମାପ ଯାଞ୍ଚ ହୋଇଥିଲା ।


