ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ
ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବ୍ଲକ ସମ୍ମିଳନୀ କକ୍ଷରେ ଅଗଷ୍ଟ ୧୬ ତାରିଖ ଦିନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିକାଶ କମିଟି ବୈଠକରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଳିକ ଅଧ୍ୟକ୍ଷତା କରିଥିଲେ। ମାନ୍ୟବର ମନ୍ତ୍ରୀ ମଳିକ ପୋଲସରା ନିର୍ବାଚନ ମଣ୍ଡଳୀକୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ଆନ୍ତରିକ ଉଦ୍ୟମ କରିବାକୁ ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମିସ୍ ମଧୁମିତା, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପାନ କୁମାରୀ ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଜିଲ୍ଲା ସ୍ତରୀୟ ଅଫିସର ବୃନ୍ଦଙ୍କ ସମେତ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ପୋଲସରା ତହସିଲଦାର ରୁବି ବେହେରା, ବୁଗୁଡା ତହସିଲଦାର ତାପସ ରାଉତ, ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଫିସର ବୃନ୍ଦ ଯୋଗଦେଇ ଥିଲେ। ନିର୍ବାଚନ ମଣ୍ଡଳୀର ବିକାଶ ଓ କଲ୍ୟାଣ ପ୍ରସଙ୍ଗ, ମୁଖ୍ୟତଃ ପାନୀୟ ଜଳ, ଗମନାଗମନ, କୃଷି, କୃଷକର ବିକାଶ, ଜଳସେଚନ ଉପରେ ଆଲୋଚନା ହୋଇଥିଲା। ପୋଲସରା ପୋଲିସ ଆଇଆଇସି କୁରେଶ ମାଝିଙ୍କ ନେତୃତ୍ୱରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଉପସ୍ଥିତ ଥିଲେ।


