ପୋଷଣ ସ୍ତର ଏବଂ ତତସଂକ୍ରାନ୍ତ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଟାସ୍କଫୋର୍ସ ଗଠନ
ନୂଆଦିଲ୍ଲୀ : ମାତୃତ୍ୱର ବୟସ, ମାତୃ ମୃତ୍ୟୁ ହାର (ଏମଏମଆର) ହ୍ରାସର ଆବଶ୍ୟକତା, ପୋଷଣ ସ୍ତର ଏବଂ ତତସଂକ୍ରାନ୍ତ ପ୍ରସଙ୍ଗଗୁଡ଼ିକର ଅନୁଧ୍ୟାନ ପାଇଁ ଭାରତ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏ ସମ୍ପର୍କରେ ୪ ଜୁନ, ୨୦୨୦ରେ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ୨୦୨୦-୨୧ର ସାଧାରଣ ବଜେଟ ଅଭିଭାଷଣରେ କହିଥିଲେ ଯେ “୧୯୭୮ରେ ଝିଅ ମାନଙ୍କ ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷକୁ ବୃଦ୍ଧି କରାଯାଇଥିଲା । ଏଥିପାଇଁ ତତକାଳୀନ ଶାରଦା ଆଇନ ୧୯୨୯ରେ ସଂଶୋଧନ ଅଣାଯାଇଥିଲା । ଭାରତ ଆହୁରି ପ୍ରଗତି କରିବା ପରେ ମହିଳାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ଏବଂ କ୍ୟାରିଅର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଏମଏମଆର ହ୍ରାସ କରିବା ଏବଂ ପୋଷଣ ସ୍ତରରେ ସୁଧାର ଆଣିବାର ଆବଶ୍ୟକତା ଦେଖାଦେଇଛି । ଏହି ପରିଦୃଶ୍ୟରେ ଝିଅ ମାନଙ୍କର ମାତୃତ୍ୱ ଲାଭ ବୟସର ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଦେଖାଯିବା ଉଚିତ । ତେଣୁ ମୁଁ ଏକ ଟାସ୍କଫୋର୍ସ ଗଠନ ପାଇଁ ପ୍ରସ୍ତାବ ଦେଉଛି ଯାହାକି ୬ ମାସ ମଧ୍ୟରେ ଏହାର ସୁପାରିସ ଉପସ୍ଥାପନ କରିବ । (୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଭିଭାଷଣ ପାରା ୬୭ ଦେଖନ୍ତୁ) । ନିମ୍ନୋକ୍ତ ପଦାଧିକାରୀମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି, ଜୟା ଜେଟଲୀ (ନୂଆଦିଲ୍ଲୀ)- ଅଧ୍ୟକ୍ଷା
ଡ. ବିନୋଦ ପଲ, ସଦସ୍ୟ (ସ୍ୱାସ୍ଥ୍ୟ), ନୀତି ଆୟୋଗ- ସଦସ୍ୟ (ପଦାସୀନ) ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ-ସଦସ୍ୟ (ପଦାସୀନ) ସଚିବ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ-ସଦସ୍ୟ (ପଦାସୀନ) ସଚିବ, ଉଚ୍ଚ ଶିକ୍ଷା ବିଭାଗ-ସଦସ୍ୟ (ପଦାସୀନ) ସଚିବ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ-ସଦସ୍ୟ (ପଦାସୀନ) ସଚିବ, ବିଧାନପାଳିକା ବିଭାଗ-ସଦସ୍ୟ (ପଦାସୀନ) ନଜମା ଅଖତର (ନୂଆଦିଲ୍ଲୀ)- ସଦସ୍ୟା ବସୁଧା କାମାଥ (ମହାରାଷ୍ଟ୍ର)-ସଦସ୍ୟା ଡ. ଦିପ୍ତୀ ଶାହା (ଗୁଜରାଟ)-ସଦସ୍ୟା,
ଟାସ୍କଫୋର୍ସ ଗଠନର ଉଦ୍ଦେଶ୍, ବିବାହ ଏବଂ ମାତୃତ୍ୱ ଲାଭର ବୟସ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କର ଅନୁଧ୍ୟାନ, ଗର୍ଭାବସ୍ଥା, ସନ୍ତାନ ଜନ୍ମ ଏବଂ ଏହାର ପରବର୍ତ୍ତୀ ଅବସ୍ଥା ମା’ ଓ ଶିଶୁର ସ୍ୱାସ୍ଥ୍ୟ, ଚିକିତ୍ସା ଯତ୍ନ ଏବଂ ପୋଷଣ ସ୍ଥିତି, ଶିଶୁ ମୃତ୍ୟୁ ହାର (ଆଇଏମଆର), ମାତୃ ମୃତ୍ୟୁହାର (ଏମଏମଆର), ମୋଟ ଗର୍ଭଧାରଣ ହାର (ଟିଏଫଆର), ଜନ୍ମିତ ଶିଶୁର ଲିଙ୍ଗ ଅନୁପାତ (ଏସଆରବି), ଶିଶୁ ଲିଙ୍ଗ ଅନୁପାତ (ସିଏସଆର) ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ କିମ୍ବା ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନର ଅନ୍ୟକୌଣସି ପ୍ରାସଙ୍ଗିକ ଦିଗ । ମହିଳାମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷାର ପ୍ରୋତ୍ସାହନ ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବ । ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆଇନ ପ୍ରଣୟନ କିମ୍ବା ପ୍ରଚଳିତ ଆଇନରେ ସଂଶୋଧନ ପାଇଁ ପରାମର୍ଶ ଦେବ । ଟାସ୍କଫୋର୍ସର ସୁପାରିସକୁ ସମୟୋଚିତ ଭାବେ କାର୍ଯ୍ୟକାରୀ କରିବା ଲାଗି ଏକ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଦିଗରେ କାମ କରିବ । ଆବଶ୍ୟକ ହେଲେ ଅନ୍ୟ ବିଶେଷଜ୍ଞମାନଙ୍କୁ ଟାସ୍କଫୋର୍ସ ନିଜର ବୈଠକୁ ଡାକିପାରିବ । ନୀତି ଆୟୋଗ ପକ୍ଷରୁ ଟାସ୍କଫୋର୍ସକୁ ସଚିବସ୍ତରୀୟ ସହାୟତା ଯୋଗାଇ ଦିଆଯିବ ଏବଂ ଏହା ୩୧ ଜୁଲାଇ, ୨୦୨୦ ସୁଦ୍ଧା ନିଜର ରିପୋର୍ଟ ଉପସ୍ଥାପନ କରିବ ।


