ପ୍ରଥମେ ଫେରିବେ ପ୍ରବାସୀ ଶ୍ରମିକ, ପରେ ଛାତ୍ରଛାତ୍ରୀ:ମୋଦି
ନୂଆଦିଲ୍ଲୀ: ଦେଶରେ ଅଟକି ରହିଥିବା ସହସ୍ରାଧିକ ଭାରତୀୟ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଯୋଜନା ଚାଲିଛି । ପ୍ରଥମେ ବିଦେଶରେ ବିଶେଷ କରି ଉପସାଗରୀୟ ରାଷ୍ଟ୍ରରେ ଥିବା ଶ୍ରମିକଙ୍କୁ ଫେରାଇ ଅଣାଯିବା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଅଣାଯିବା ଉଚିତ ବୋଲି ମୋଦି କହିଛନ୍ତି । ଭାରତୀୟ ଗରିବ ଶ୍ରମ ଶକ୍ତି ବିଦେଶରେ ରହି ଦେଶର ଆର୍ଥିକ କ୍ଷେତ୍ର ପାଇଁ ଯଥେଷ୍ଟ ଅବଦାନ ରଖୁଛନ୍ତି, ତେଣୁ ସେମାନଙ୍କୁ ଫେରାଇ ଆଣିବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ମୋଦି କହିଛନ୍ତି ।
ସେହିଭଳି ବ୍ରିଟେନ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ସିଙ୍ଗାପୁର, ଫିଲିପାଇନ୍ସ ଆଦି ରାଷ୍ଟ୍ରରେ ଅଟକି ରହିଥିବା ହଜାର ହଜାର ଛାତ୍ରଛାତ୍ରୀ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସକୁ ଆବେଦନ ନିବେଦନ କରିଛନ୍ତି । କେବଳ ରୁଷିଆରୁ ୧୫ ହଜାର ଛାତ୍ରଛାତ୍ରୀ ଭାରତକୁ ଫେରିବା ପାଇଁ ବ୍ୟଗ୍ର । ସେମାନଙ୍କ ରାଜ୍ୟ ସହିତ ଯୋଗାଯୋଗ କରାଯାଇ ଅଗ୍ରାଧିକାର ଭିତ୍ତିରେ ଫେରାଇ ଅଣାଯିବା ଯୋଜନା ଚାଲିଛି । ସେହି ଅନୁସାରେ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ସେମାନେ ଭାରତ ମାଟିରେ ପହଞ୍ଚିବା ପରେ ପ୍ରଥମେ ଯାଞ୍ଚର ସମ୍ମୁଖୀନ ହେବେ ଓ କ୍ୱାରେଣ୍ଟାଇନ କେନ୍ଦ୍ରକୁ ଯିବେ, କିନ୍ତୁ ସେମାନେ କେବେ ଫେରିବେ ତାହା ନିଶ୍ଚିତ ହୋଇନାହିଁ । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଆଲୋଚନା ପରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ।


