କୋରୋନା କାରଣରୁ ୭ ନିୟୁତ ମହିଳା ଅବାଞ୍ଛିତ ଗର୍ଭଧାରଣ କରିପାରନ୍ତି: ଜାତିସଂଘ
ଜେନେଭା: ସାମ୍ପ୍ରତିକ ସମୟରେ ଲକଡାଉନ୍ କାରଣରୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଛି। ତା’ଛଡ଼ା ଲକଡାଉନ୍ କାରଣରୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ସାମଗ୍ରୀର ଯୋଗାଣ ମଧ୍ୟ ବ୍ୟାହତ ହୋଇଛି। ଏଥି ମଧ୍ୟରେ ଅବାଞ୍ଛିତ ଗର୍ଭ ରୋକିବା ସକାଶେ ବ୍ୟବହୃତ ହେଉଥିବା ଗର୍ଭନିରୋଧକ ମଧ୍ୟ ଅନ୍ୟତମ। ଏହି ଗର୍ଭନିରୋଧକ ଅଭାବ କାରଣରୁ ବିଶ୍ବରେ ୭ ନିୟୁତ ମହିଳା ଅବାଞ୍ଛିତ ଗର୍ଭଧାରଣ କରିବାର ସମ୍ଭାବନା ରହିଛି ବୋଲି ଜାତିସଂଘ ପପୁଲେସନ୍ ଫଣ୍ଡ୍ (ୟୁଏନ୍ଏଫପିଏ) ଓ ଏହାର ସହଯୋଗୀ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏକ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏହି ସମ୍ଭାବନା ବିଶେଷ କରି ନିମ୍ନ ଓ ମଧ୍ୟବର୍ତ୍ତୀ ରୋଜଗାରକ୍ଷମ ଦେଶମାନଙ୍କରେ ଅଧିକ ରହିଛି। କାରଣ ଏହି ଦେଶର ମହିଳାମାନଙ୍କ ନିକଟରେ ଅତ୍ୟାଧୁନିକ ଗର୍ଭନିରୋଧକର ଉପଯୋଗ କରିବାର ସାମର୍ଥ୍ୟ ନ ଥାଏ। ଏହାଛଡ଼ା କେତେକ ମହିଳା ପରିବାର ନିୟନ୍ତ୍ରଣ ସମ୍ପର୍କରେ ବିଶେଷ ଜ୍ଞାନ ରଖନ୍ତି ନାହିଁ। ଆହୁରି ମଧ୍ୟ ଲିଙ୍ଗଭିତ୍ତିକ ହିଂସାକାଣ୍ଡ ଓ ଅନ୍ୟାନ୍ୟ ବହୁ କ୍ଷତିକାରକ ଅଭ୍ୟାସ କାରଣରୁ କୋରୋନାଜନିତ ସ୍ଥିତିରୁ ମୁକୁଳିବା ବେଳକୁ ବିଶ୍ବ ଜନସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ ବୋଲି ୟୁଏନ୍ଏଫପିଏ ପକ୍ଷରୁ ଆକଳନ କରାଯାଇଛି।
ଏ ସଂକ୍ରାନ୍ତରେ ୟୁଏନ୍ଏଫପିଏ କାର୍ଯ୍ୟନିର୍ବାହୀ ନିର୍ଦେଶିକା ନାତାଲି କାନେମ୍ ମଙ୍ଗଳବାର କହିଛନ୍ତି ଯେ ସଦ୍ୟ ଜାରି ତଥ୍ୟରୁ ଏହା ସ୍ପଷ୍ଟ ଯେ କୋରୋନା ଭୂତାଣୁ ଅନ୍ତର୍ଜାତୀୟ ସ୍ତରରେ ମହିଳା ଓ ନାବାଳିକାଙ୍କ ସକାଶେ ବିପର୍ଯ୍ୟ ଆଣିବ। ଏହି ଭୂତାଣୁର ସଂକ୍ରମଣ ବ୍ୟାପକ ହେଉଥିବାରୁ ଏହା ଆଗାମୀ ଦିନରେ ଅସମାନତା ଆଣିବା ସହ ମହିଳା ଓ ନାବାଳିକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟରକ୍ଷା ସହ ପରିବାର ନିୟନ୍ତ୍ରଣ କରିବାର କ୍ଷମତାକୁ ମଧ୍ୟ ନିଃଶେଷ କରିଦେବାର ଆଶଙ୍କା ରହିଛି। ଏହାଛଡ଼ା କୋରୋନା ଭୂତାଣୁ କାରଣରୁ ଅର୍ଥନୀତି ଓ ସ୍ବାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ଏହା ମହିଳା ଓ ନାବାଳିକାମାନଙ୍କର ଅଧିକାର ଓ ଶରୀରକୁ ମଧ୍ୟ ଅଧିକ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଛି ବୋଲି କାନେମ୍ କହିଛନ୍ତି। ସେହିପରି ବର୍ତ୍ତମାନ କୋରୋନା ଭୂତାଣୁରେ ଯେତିକି ଲୋକ ଆକ୍ରାନ୍ତ ହୋଇଛନ୍ତି, ଏହା କେବଳ ଏହି ଭୂତାଣୁର ଅୟମାରମ୍ଭ ମାତ୍ର। ଏହା ଆଗାମୀ ଦିନରେ ଆହୁରି ବ୍ୟାପକ ହେବ ଓ ମଣିଷର ମୂଲ୍ୟ ଅତି ସାମାନ୍ୟ ହୋଇଯିବ ବୋଲି ମଧ୍ୟ କାନେମ୍ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ୧୧୪ଟି ଦେଶରେ ପାଖାପାଖି ୪୫୦ ନିୟୁତ ମହିଳା ଗର୍ଭନିରୋଧକ ବ୍ୟବହାର କରିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।


