ପ୍ରଥମ ଟି୨୦: ଭାରତର ଶୋଚନୀୟ ପରାସ୍ତ

ଅହମ୍ମଦାବାଦ, (ୱାଇଏନ୍‌ଏସ୍‌): ଅହମ୍ମଦାବାଦ୍‌ରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁଁ ଭାରତ ଟି୨୦ ସିରିଜରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଇଂଲଣ୍ଡ ୮ ୱିକେଟରେ ଭାରତକୁ ହରାଇଛି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ କେବଳ ୧୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ତରଫରୁ ଶ୍ରେୟାସ ଆୟର ସର୍ବାଧିକ ୬୭ ରନ୍ କରିଥିବା ବେଳେ ଅନ୍ୟ ସବୁ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ଅଧିନାୟକ ବିରାଟ କୋହଲି ଖାତା ବି ଖୋଲିପାରିନଥିଲେ । ଏହାର ଜବାବରେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଏହି ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଏହି ଭେନ୍ୟୁରେ ହିଁ ଖେଳାଯିବ ।ପୂର୍ବରୁ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଅଭିଜ୍ଞ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧୱନ୍ ଓ ଲୋକେଶ ରାହୁଲ୍ ନିରାଶ କରିଥିଲେ। କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ମ୍ୟାଚର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ରାହୁଲ(୧)ଙ୍କୁ ଇଂଲଣ୍ଡ ଦଳର ଷ୍ଟାର୍ ପେସର୍ ଜୋଫ୍ରା ଆର୍ଚର୍ କ୍ଲିନ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଆଦିଲ୍ ରଶିଦ୍। ପରେ ଧୱନ(୪) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ଧୱନଙ୍କ ବୋଲ୍ଡର କରିଥିଲେ ମାର୍କ ଉଡ୍। ୨୦ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ଋଷଭ ପନ୍ତ ଓ ଆୟର୍ ଆଶା ସଞ୍ଚାର କରିଥିଲେ। ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିବା ପନ୍ତ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ପନ୍ତ ୨୩ ବଲରେ ୨ ଚୌକା ଓ ୧ ଛକା ସହ ୨୧ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।
ଆୟର୍ ଜବରଦସ୍ତ ବ୍ୟାଟିଂ କରି ୩୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଭରପୂର ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୫୪ ରନର ଭାଗିଦାରୀ କରିଥିଲେ। ହାର୍ଦ୍ଦିକ ବ୍ୟକ୍ତିଗତ ୧୯ ରନ୍ କରି ଆର୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିଲେ। ତେବେ ଆୟର ଲଢ଼ୁଆ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରଶିଦ୍, ମାର୍କ ଉଡ୍, ଜୋର୍ଡାନ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ