ପ୍ରଥମ ଥର ପାଇଁ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ କୁଇଜର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁୁବନେଶ୍ୱର, (ୱାଇଏନ୍‌ଏସ୍ ): ସମାଜରେ ସକରାତ୍ମକ ଭାବନା ଆଣିବା ପାଇଁ ଆମକୁ ଫିଟ୍ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ପ୍ରଥମ ଥର ପାଇଁ ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କ୍ରୀଡାର ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ଦୂରଦୃଷ୍ଟି ଆଧାରରେ ଶ୍ରୀ ପ୍ରଧାନ ସ୍କୁଲ ପ୍ରିନ୍ସିପାଲ ଏବଂ ଛାତ୍ରଛାତ୍ରୀଙ୍କୁ ଏହି ଫିଟ୍ ଇଣ୍ଡିଆ କୁଇଜରେ ପଞ୍ଜିକରଣ କରି ଅଂଶଗ୍ରହଣ କରି ଏକ ସୁସ୍ଥ ଭାରତ ପାଇଁ ଫିଟ୍ ଇଣ୍ଡିଆ ମିଶନରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଛନ୍ତି ।କ୍ରୀଡା, ଶିକ୍ଷା ଏବଂ କ୍ରୀଡା ପରମ୍ପରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଯାତ୍ରାରେ ଆମର ଖେଳାଳୀମାନେ ଆମ ଦେଶ ପାଇଁ ଗୋରବ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କହିଛନ୍ତି । ଟୋକିଓ ଅଲମ୍ପିକରେ ବ୍ୟାଡମିଂଟନ ଖେଳାଳି ପି.ଭି ସିନ୍ଧୁ ଏବଂ ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଭଳି ଅନେକ ଖେଳାଳି ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେଣୁ ଦେଶରେ ଶିକ୍ଷା ଏବଂ କ୍ରୀଡ଼ାକୁ ଯୋଡ଼ି ନୂଆ ଢ଼ାଂଚା ପ୍ରସ୍ତୁତ କରିବା ପାଇଁ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମିଳିତ ଭାବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ଫିଟ୍ ଇଣ୍ଡିଆ କୁଇଜ୍‌’ ଶୁଭାରମ୍ଭ କରାଯାଇଛି । ପାଠପଢା ସହ ଖେଳିବା ପାଇଁ ଭାରତ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି)ରେ ପାଠପଢ଼ା ସହ କ୍ରୀଡ଼ାକୁ ପ୍ରୋତ୍ସାହନ ତଥା ପିଲାଙ୍କ ଫିଟ୍ ରଖିବା ପାଇଁ ବ୍ୟବସ୍ଥା ହୋଇଛି । ଶିକ୍ଷା ଏବଂ କ୍ରୀଡା ମନ୍ତ୍ରଣାଳୟ ଆଗାମୀ ଦିନରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତବର୍ଷର ୧୦ କୋଟି ସ୍କୁଲ ଏବଂ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ବିଭିନ୍ନ ବିଭାଗରେ ବିଜେତା ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୩ କୋଟି ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ଆଣିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି ।କୋଭିଡ଼୍ ସମୟରେ ଆମେ କେତେ ଫିଟ୍ ରହିବା, ତାହା ଅଧିକ ପ୍ରାସଙ୍ଗିକ ହୋଇଥିଲା । ତେଣୁ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ପାଇଁ ବିଦ୍ୟାଳୟରୁ ପ୍ରୟାସ ଆରମ୍ଭ ହେବା ଦରକାର । ଭାରତ ସରକାର ଆଗାମୀ ଦିନ ପାଇଁ ପ୍ରସ୍ତୁତ କରୁଥିବା ଭିତିଭୂମିରେ ଛାତ୍ରଛାତ୍ରୀଙ୍କୁ ଖେଳ ସହ ସେମାନଙ୍କୁ ସୁସ୍ଥ ରଖିବା ସହ ସେମାନଙ୍କୁ ଆତ୍ମସମ୍ମାନର ସହ ରୋଜଗାର ଦେବ । ଏହି ପରିପ୍ରେକ୍ଷୀରେ ଆଜିର ‘ଫିଟ୍ ଇଣ୍ଡିଆ କୁଇଜ’ ଭଲ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନୀତିଶ ପ୍ରମାଣିକ ଉପସ୍ଥିତ ରହିଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୋକିଓ ଅଲମ୍ପିକରେ ପଦକ ବିଜେତା ନୀରଜ ଚୋପ୍ରା, ପିଭି ସିନ୍ଧୁ, ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ