ପ୍ରଥମ ଥର ପ୍ଲେ ଅଫ୍‌ରୁ ବାଦ୍ ପଡିଲା ଚେନ୍ନାଇ

ନୂଆଦିଲ୍ଲୀ: ରବିବାରର ରାତି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚାରି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଦୌଡ଼ରୁ ପ୍ରଥମ ଥର ପାଇଁ ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବାଦ ପଡ଼ିଛି। ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିବାରେ ଚେନ୍ନାଇ ବି ଚଳିତ ଋତୁର ପ୍ରଥମ ଦଳ ହୋଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ପଡ଼ିଛି। ୨୦୦୮ ମସିହାରୁ ୨୦୧୯ ମସିହା ମଧ୍ୟରେ ଚେନ୍ନାଇ ଆଇପିଏଲ୍‌ର ୧୦ ଋତୁରେ ଅଂଶଗ୍ରହଣ କରିଥିଲା ବେଳେ ପ୍ରତି ଥର ପ୍ଲେ ଅଫ୍ ଖେଳିବାର ଗୌରବ ଅର୍ଜନ କରିଥିଲା। ହେଲେ ଚଳିତ ବର୍ଷର ଆଇପିଏଲ୍‌ରେ ଅସ୍ଥିର ପ୍ରଦର୍ଶନ ଦେଇ ୧୨ ମ୍ୟାଚ୍‌ରୁ ମାତ୍ର ୪ ବିଜୟ ହାସଲ କରିଛି। ଦଳ ପାଖରେ ଆଉ ମାତ୍ର ଦୁଇଟି ମ୍ୟାଚ୍ ବାକି ରହିଛି। ‌ଏହାକୁ ଜିତିଲେ ମଧ୍ୟ ଦଳ ପ୍ଲେ ଅଫ୍ ଖେଳିବାର କୌଣସି ସମ୍ଭାବନା ନାହିଁ। ରବିବାରର ରାଜସ୍ଥାନ ରୟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ମୁମ୍ବାଇ ବିଜେତା ହୋଇଥିଲେ ଚେନ୍ନାଇର ପ୍ଲେ ଅଫ୍ ଯିବା ଲାଗି ଗାଣିତିକ ସମ୍ଭାବନା ଥିଲା। ହେଲେ ରାଜସ୍ଥାନ ୮ ୱିକେଟ୍‌ରେ ବିଜେତା ହେବା ପରେ ଚେନ୍ନାଇର ଏହି ଆଶା ମଉଳି ଯାଇଥିଲା। ଚେନ୍ନାଇ ୨୦୧୦ ଓ ୨୦୧୧ରେ ଲଗାତାର ବିଜେତା ହୋଇଥିଲା। ଦୁଇ ବର୍ଷର ବାସନ୍ଦିଦେଶ ପରେ ଫେରି ଚେନ୍ନାଇ ୨୦୧୮ ମସିହାରେ ତୃତୀୟ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା। ଚେନ୍ନାଇ ମଧ୍ୟ ୫ ଥର ଉପବିଜେତା ହୋଇଛି। ଚେନ୍ନାଇ ତା’ର ଶେଷ ଦୁଇ ମ୍ୟାଚ୍‌ରେ ଆସନ୍ତା ୨୯ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ଓ ନଭେମ୍ବର ପହିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ