ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକେଲ ଆର. ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଡ. ମାର୍କ ଟି ଏସ୍‌ପର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ କରିବା ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ସେମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ୨୦୨୦ ଫେବୃୟାରୀର ସଫଳ ଭାରତ ଗସ୍ତ ସଂପର୍କରେ ସ୍ମରଣ କରିବା ସହିତ ତାଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ପ୍ରଦାନ କରିଛନ୍ତି ।
ଆମେରିକାର ଏହି ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭାରତ-ଆମେରିକା ୨+୨ ତୃତୀୟ ପର୍ଯ୍ୟାୟ ଆଲୋଚନା କିପରି ସଫଳ ଏବଂ ଅର୍ଥପୂର୍ଣ୍ଣ ହୋଇଛି ତାହା ଅବଗତ କରାଇଥିଲେ । ସେମାନେ ଭାରତ ସହ ଏକ ମଜଭୁତ ସଂପର୍କ ଗଢି ତୋଳିବା କ୍ଷେତ୍ରରେ ଆମେରିକା ସରକାରଙ୍କ ଆଗ୍ରହ ବିଷୟରେ ଜଣାଇଥିଲେ । ଦୁଇ ଦେଶ ଯେଉଁ ମିଳିତ ଲକ୍ଷ୍ୟ ଓ ଦୂରଦୃଷ୍ଟି ପୂରଣ ପାଇଁ ଅଙ୍ଗୀକୃତ ତାହାକୁ ହାସଲ କରିବା ପାଇଁ ଅଧିକ ତତ୍ପରତାର ସହ କାମ କରିବାକୁ ଆଗ୍ରହୀ ବୋଲି ଏହି ଦୁଇ ମନ୍ତ୍ରୀ ପ୍ରକାଶ କରିଥିଲେ । ଆମେରିକା ଓ ଭାରତ ମଧ୍ୟରେ ତୃତୀୟ ପର୍ଯ୍ୟାୟ ୨+୨ କଥାବାର୍ତ୍ତା ସଫଳତାର ସହ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ନିକଟ ଅତୀତରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ଯେଉଁ ରଣ କୌଶଳାତ୍ମକ ଅଂଶୀଦାରୀ ଗଢି ଉଠିଛି ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱାସର ଦୃଢ ଭିତ୍ତିଭୂମି, ମିଳିତ ମୂଲ୍ୟବୋଧ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୃଢ ସଂପର୍କ ରକ୍ଷା ଦ୍ୱାରା ଏହି ସୁସଂପର୍କ ଗଢି ଉଠିଛି । ସୂଚନାଯୋଗ୍ୟ ଯେ ଭାରତ-ଆମେରିକା ମଧ୍ୟରେ ଯେଉଁ ମନ୍ତ୍ରୀସ୍ତରୀୟ ୨+୨ ଦ୍ୱିପାକ୍ଷିକ ଆଲୋଚନା ଧାରାବାହିକ ଭାବେ ଚାଲିଛି ତାହାର ତୃତୀୟ ବୈଠକରେ ଯୋଗଦେବା ପାଇଁ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଗସ୍ତରେ ଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ