ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଗ୍ଲୋବାଲ୍ ଗୋଲକିପର ଆୱାଡ
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ଲୋବାଲ୍ ଗୋଲକିପର ଆୱାଡର୍୍ ମିଳିଛି । ନ୍ୟୁୟର୍କରେ ବିଲ୍ ଏବଂ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପିଏମ୍ ମୋଦିଙ୍କୁ ଏହି ଆୱ।।ର୍ଡ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଦେଇଛି । ପୁରସ୍କାର ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ପୁରସ୍କାର ମୋର ନୁହେଁ ବରଂ ୧୩୦ କୋଟି ଭାରତୀୟଙ୍କର । ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ତାଙ୍କୁ ମିଳିଥିବାରୁ ସେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି କହିଛନ୍ତି । ଯଦି କୌଣସି ସଂକଳ୍ପକୁ ପୂରଣ କରିବା ପାଇଁ ୧୩୦ କୋଟି ଲୋକ ଏକ ହୋଇଯିବେ ତାହାଲେ କୌଣସି ଚ୍ୟାଲେଞ୍ଜ ଅସମ୍ଭବ ନୁହେଁ । ଯେଉଁମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ନିଜ ଜୀବନଶୈଳୀରେ ଏହାକୁ ପ୍ରାଥମିକତା ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଲ୍ ଗେଟସ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ମୁଖ୍ୟତଃ ରାଜନେତାଙ୍କୁ ଦିଆଯାଇଥାଏ । ମୁଖ୍ୟତଃ ଯେଉଁ ନେତାଙ୍କ କାମ ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ ହୋଇଥାଏ, ସେହି ନେତାଙ୍କୁ ହିଁ ବିଲ୍ ଗେଟସ ଫାଉଣ୍ଡେସନ ଏହି ପୁରସ୍କାର ଦେଇଥାଏ । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବା ପରେ ସେହି ବର୍ଷ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଜରିଆରେ ଦେଶରେ ୯ କୋଟି ଶୌଚାଳୟ ତିଆରି ହୋଇଛି । ଏବେ ଦେଶର ୯୮ ପ୍ରତିଶତ ଗାଁରେ ଶୌଚାଳୟ ରହିଛି । ପୂର୍ବରୁ ୩୮ ପ୍ରତିଶତ ଗାଁରେ ଶୌଚାଳୟ ଥିଲା ।


