ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ୧୫ ବର୍ଷ ହେଲା ଅଧପନ୍ତରିଆରେ ବ୍ରିଜ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ୧୫ ବର୍ଷ ପରେ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଛି. ଯଦ୍ୱାରାକି, ଗତ  ୧୫ ବର୍ଷ ଧରି ଗଜପତି ଜିଲ୍ଲାର ୧୫ ଗୋଟି ଗ୍ରାମର ଗ୍ରାମବାସୀମାନେ ଭରା ନଦୀରେ ଜୀବନକୁ ବାଜି ଲଗାଇ ନଦୀ ପାର କରି ଦୁଃଖଦ ଜୀବନ ଜୀବିକା ବିତାଇ ଆସୁଥିବା ସୂଚନା ମିଳିଛି. ଦୁଇବର୍ଷ ଭିତରେ ବ୍ରିଜ୍ ନିର୍ମାଣ କାମ ଶେଷ ହେବାକୁ ଥିଲା। କିନ୍ତୁ ଦେଖୁ ଦେଖୁ ଏହାମଧ୍ୟରେ ୧୫ ବର୍ଷ ବିତିଗଲାଣି| ନଦୀ ଉପରେ ବ୍ରିଜ୍ କାମ ସେମିତି ଅଧାପନ୍ତରିଆ ଅବସ୍ଥାରେ ଛିଡ଼ା ହୋଇଛି. ଆଉ ଆଜି ବି ଗ୍ରାମବାସୀ ମୌଳିକ ସୁବିଧା ପାଇଁ ଜୀବନକୁ ବାଜିରେ ଲଗାଇ ଭରାନଦୀ ପାର ହେଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ୧୫ରୁ ଅଧିକ ଗ୍ରାମର ଲୋକଙ୍କ ପାଇଁ ଏହି ନଦୀ ଯେମିତି ଦୁଃଖ ପାଲଟିଛି। ଏହି ଚିତ୍ର ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ୍ ଅନ୍ତର୍ଗତ କରଡ଼ାସିଂ, କୁଜାସିଂ ଓ ଅଜୟଗଡ଼ ପଞ୍ଚାୟତର ଉଭୟ ପଞ୍ଚାୟତର ୧୫ରୁ ଅଧିକ ଗ୍ରାମର ଲୋକଙ୍କ ପାଇଁ ଦୁଃଖ ସାଜିଛି ମହେନ୍ଦ୍ରତନୟା ନଦୀ. ମହେନ୍ଦ୍ରତନୟା ନଦୀର ଆରପାରିରେ ରହିଛି। ରାୟଗଡ଼ ବ୍ଲକ୍ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ହସ୍ପିଟାଲ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ଏହି ନଦୀ ପାର ହେବାକୁ ପଡ଼ିଥାଏ । ତେବେ ବର୍ଷା ଋତୁରେ ମହେନ୍ଦ୍ରତନୟାର ଜଳସ୍ତର ବଢ଼ିଗଲେ ସମସ୍ୟା ଆହୁରି ଗମ୍ଭୀର ହୋଇଥାଏ | ବର୍ଷ ବର୍ଷ ଧରି ଏଭଳି ଦୁର୍ଦ୍ଦଶା ଭୋଗୁଥିବାରୁ ଶେଷରେ ଲୋକଙ୍କ ଦାବିକୁ ଗୁରୁତ୍ବ ଦେଇ ୨୦୧୨ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇଥିଲା । ଦୁଇବର୍ଷ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା. ତେବେ ୨୦୧୨ରୁ ୨୦୧୫ ମଧ୍ୟରେ ଠିକାସଂସ୍ଥା ଚାରିଟି ପିଲାର୍ କାମ କରି ଛାଡ଼ି ଦେଇଥିଲା ପରବର୍ତ୍ତୀ ସମୟରେ ଟେଣ୍ଡର ଅର୍ଥ ତୁଳନାରେ ଅଧିକ ଖର୍ଚ୍ଚ ହେବା ଦର୍ଶାଇ ପୁନଃଆକଳନ ପାଇଁ ଅନୁରୋଧ କରାଯାଇଥିଲା। ତିତଲି ବାତ୍ୟା ଓ ବନ୍ୟା ସମୟରେ ନଦୀର ଜଳସ୍ତର ବୃଦ୍ଧିକୁ ନଜରରେ ରଖି ନୂଆ ଆକଳନ କରିବାକୁ ନିଷ୍ପତ୍ତ ହୋଇଥିଲା । କିନ୍ତୁ ନୂଆ ଆକଳନ ଓ ପ୍ରଶାସନିକ ପ୍ରକ୍ରିୟା ମଧ୍ୟରେ ବର୍ଷ ପରେ ବର୍ଷ ବିତିଥିବା ସହ ବ୍ରିଜ୍ ନିର୍ମାଣ କାମ ଅଧାରେ ଅଟକିଗଲା. ଏହାମଧ୍ୟରେ 15 ବର୍ଷ ବିତିଗଲାଣି କିନ୍ତୁ ନଦୀ ଉପରେ ବ୍ରିଜ୍‌ଟିଏ ଛିଡ଼ା ହୋଇପାରୁନି। ସରକାର ଓ ଅଧିକାରୀ ବଦଳିଛନ୍ତି। କିନ୍ତୁ ୧୫ଟି ଗାଁର ଲୋକଙ୍କ ଭାଗ୍ୟ ବଦଳିପାରିନି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ