ଫସଲ ବୀମା ଯୋଜନାର ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପିଏମଏଫବିୱାଇର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅର୍ଥ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡାଙ୍କ ସମେତ କୃଷି ସମବାୟ ଓ କୃଷକ କଲ୍ୟାଣ, ପିଏମଏଫବିୱାଇକୁ କାର୍ଯ୍ୟକାରୀ କରୁଥିବା ସାଧାରଣ ବୀମା କମ୍ପାନୀ ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ଦ୍ଵାରା ଏକ ଉପସ୍ଥାପନା କରାଯାଇଥିଲା। ଏଥିରେ ୨୦୧୬ଖରିଫ ଋତୁ ପରଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଯାତ୍ରା ସହିତ ଏହାର କାର୍ଯ୍ୟକାରିତାରେ ଦେଖାଦେଇଥିବା ସମସ୍ୟା ଏବଂ ଚଳିତ ୨୦୨୦ ଖରିଫ ଋତୁରେ ଏହାର କାର୍ଯ୍ୟାନ୍ଵୟନ, ବିଶେଷ କରି ଏଥିରେ ଅଣାଯାଇଥିବା ସୁଧାରର ସୁଫଳ ବିଷୟରେ ଆଲୋଚନା କରାଯାଇଥିଲା। ଅର୍ଥମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଚାଷୀମାନଙ୍କ ନିକଟରେ ସୂଚନା ପହଞ୍ଚାଇ ସେମାନଙ୍କୁ ଯୋଜନାରେ ସ୍ଵେଚ୍ଛାକୃତ ଭାବେ ସାମିଲ କରାଇବା ଏବଂ ଧାର୍ଯ୍ୟ ସମୟରେ ବୀମା ଦାବି ପଇଠ ଲାଗି ରାଜ୍ୟଗୁଡ଼ିକ ଯଥାସମୟରେ ପ୍ରିମିୟମ ସବସିଡି ଜାରି କରିବା ଉପରେ ସେ ଜୋର ଦେଇଥିଲେ। ଯେଉଁ ରାଜ୍ୟଗୁଡ଼ିକରେ ସବସିଡି ବକେୟା ରହିଛି, ବିଶେଷ କରି ଖରିଫ ୨୦୨୦ପାଇଁ ଯେଉଁମାନେ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ସେସବୁ ରାଜ୍ୟଗୁଡ଼ିକ ସହିତ ତୁରନ୍ତ ସମ୍ପର୍କ କରିବା ସହିତ ଚାଷୀମାନଙ୍କର ଦାବି ସମାଧାନ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଶ୍ରୀମତୀ ସୀତାରମଣ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆସିଥିବା ସୁଧାରରେ ପ୍ରଯୁକ୍ତିର ଉପଯୋଗକୁ ବୃଦ୍ଧି କରାଯାଇଥିବା କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗର ସଚିବ ସୂଚନା ଦେଇଥିଲେ। ସମ୍ପ୍ରସାରିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରଭାବ ଆକଳନ ପାଇଁ ୨୦୧୩ ସୁଦ୍ଧା ପ୍ରଯୁକ୍ତି ଆକଳନ ବ୍ୟବସ୍ଥାର ଉପଯୋଗ କରିବା ଦିଗରେ ବିଭାଗ କାର୍ଯ୍ୟକରୁଛି। ୨୦୨୦-୨୧ ସୁଦ୍ଧା ଏହି ସର୍ବେକ୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି।


