ଫିନାଇଲ ପିଇ ଯୁବକ ମୃତ , ପକ୍ଷାଘାତ ରୋଗରେ ଥିଲେ ଆକ୍ରାନ୍ତ
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ଫୁଲ ସୁନ୍ଦରୀ ସାହିର ଲିଟୁ ବେହେରା ନାମକ ଜଣେ ଯୁବକ ଫିନାଇଲ୍ ପିଇ ମୃତ୍ୟୁବରଣ କରିଛନ୍ତି। ଏନେଇ ଲିଟୁଙ୍କ ସମ୍ପର୍କୀୟ ଜଗନ୍ନାଥ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇ ଆଇ ସି ବସନ୍ତ କୁମାର ସେଠୀ ତଦନ୍ତ କରିବାସହ ଥାନା ଅପମୃତ୍ୟୁ ମାମଲା ନଂ.୯/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଗତ ମଙ୍ଗଳବାର ଅପରାହ୍ନ ରେ ଲିଟୁ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘରେ ଫିନାଇଲ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ସେ ଗତ କିଛିଦିନ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଏତଲାରେ ଉଲ୍ଲେଖ ଥିବା ତଦନ୍ତକାରୀ ଅଧିକାରୀ ପୋଲିସ ଏ ଏସ ଆଇ ଗୋବିନ୍ଦ ମଲ୍ଲିକ କହିଛନ୍ତି।


