ଫେବ୍ରୁଆରିରେ +୨ ପ୍ରଥମ ବର୍ଷ ପରୀକ୍ଷା

ଭୁବନେଶ୍ୱର : ୨୦୨୦ ଫେବ୍ରୁଆରିରେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷା ପାଇଁ ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଯେଉଁ ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେଉଛନ୍ତି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ସମାନ ଭାବେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।ପ୍ରଥମ ବର୍ଷ ପରୀକ୍ଷାରେ ବି ପାସ୍ ଫେଲ୍ ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରିବାକୁ ଯୋଜନା ହୋଇଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଏବେ କେବଳ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବିଚାରକୁ ନିଆଯିବ । ଯେଉଁ ଛାତ୍ରଛାତ୍ରୀଙ୍କର କ୍ଲାସରେ ଉପସ୍ଥାନ ୭୫ ପ୍ରତିଶତ ନଥିବ ସେ ପରୀକ୍ଷା ଦେଇପାରିବେ ନାହିଁ । ଉତ୍ତର ଖାତାଗୁଡ଼ିକ କଲେଜସ୍ତରରେ ମୂଲ୍ୟାୟନ କରାଯିବ । ଯେଉଁ ଛାତ୍ରଛାତ୍ରୀ ବହୁତ ଖରାପ ପ୍ରଦର୍ଶନ କରିବେ ସେମାନଙ୍କ ବିଷୟରେ କଲେଜ କର୍ତ୍ତୃପକ୍ଷ ବିଚାର କରିବେ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଆରମ୍ଭ ହେବ । ତେଣୁ ଏହାପୂର୍ବରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ । ଦିନ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଫେବ୍ରୁଆରି ଶେଷ ସପ୍ତାହ ଭିତରେ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଯୁକ୍ତ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଫି’ ବୃଦ୍ଧି ପାଇଛି । ୧୨ ବର୍ଷ ପରେ ପରୀକ୍ଷା ଫି କୁ ୨୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହୋଇ ସାରିଥିବାରୁ ଚଳିତବର୍ଷ କେବଳ ରେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ବଦ୍ଧିତ ଫି’ ଲାଗୁ ହେବ । ୨୦୨୧ ପରୀକ୍ଷା ବେଳକୁ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ । ୪୦ ଟଙ୍କା ଫି’ ମଧ୍ୟରୁ ୩୦ ଟଙ୍କା କଲେଜ କର୍ତୃପକ୍ଷ ରଖିବେ ଓ ବାକି ୧୦ ଟଙ୍କା ପରିଷଦ ନିକଟରେ ଦାଖଲ କରିବେ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ଫି’ ବାବଦରେ ୨୦ ଟଙ୍କା ଦେବାକୁ ହେଉଥିଲା, ଯାହାକୁ କଲେଜ କର୍ତ୍ତୃପକ୍ଷ ରଖୁଥିଲେ । ତେବେ ଥିଓରି ପରୀକ୍ଷା ଫି’ ବୃଦ୍ଧି ପାଇନି । ଥିଓରି ପାଇଁ ୫୨୦ ଟଙ୍କା ରଖାଯାଇଛି । ସେଥିମଧ୍ୟରୁ କଲେଜ କର୍ତ୍ତୃପକ୍ଷ ଏଣିକି ୫୦ ଟଙ୍କା ବଦଳରେ ୪୦ ଟଙ୍କା ରଖିବେ । ବାକି ୪୮୦ ଟଙ୍କା ପରିଷଦ ନିକଟରେ ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ