ବଂଶଧାରା ନଦୀର ବାଲି ଖାଦାନରେ ବ୍ୟାପକ ରାଜସ୍ୱ ଠକେଇ ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ବଂଶଧାରା ନଦୀର ବାଲି ଖାଦାନରେ ବ୍ୟାପକ ରାଜସ୍ୱ ଠକେଇ ଘଟଣା ସାମ୍ନାକୁ ଆସିଛି। ଘଟଣାର ପର୍ଦ୍ଧାଫାଶ କରିଛି ବାଲି ନିଜେ ଉଠାଣରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ମାଲିକ ଓ କର୍ମଚାରୀ ସଂଘ। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ବାଲି ପରିବହନରେ ନିୟୋଜିତ ହେଉଥିବା ଟ୍ରାକ୍ଟର ଗୁଡ଼ିକୁ ନ ଦେଇ ବଡ଼ ବଡ଼ ଟିପର ଦ୍ବାରା ଦିନରାତି ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଛନ୍ତି ବାଲି ଉଠାଣ ଲିଜଧାରୀ। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଲି ଅଭାବ ଦେଖା ଦେଇଛି। ଏନେଇ ଏକ ସ୍ମାରକ ପତ୍ରରେ ଉଲ୍ଲେଖ କରି ଜିଲ୍ଲାପାଳଙ୍କ ଅବଗତ କରିଛି ସଂଘ।ଜିଲ୍ଲାରେ ଦେଖା ଦେଇଛି ବାଲିର କୁତ୍ରିମ ଅଭାବ। ବଂଶଧାରା ନଦୀ ବାଲି ଉଠାଣର ଲିଜଧାରୀ ଅଧିକ ଲାଭ ପାଇଁ ମନମାନୀ କରି ଟିପର ଦ୍ବାରା ଦିନରାତି ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଟ୍ରାକ୍ଟର ଯୋଗେ ବାଲି ପରିବହନକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି । ଫଳରେ ଜିଲ୍ଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକରେ ବାଲି ଅଭାବ ଦେଖା ଦେଇଛି। ଯାହାଦ୍ବାରା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ମନ୍ଥର ଗତିରେ ଚାଲିଛି ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ। ବିଶେଷ ପ୍ରଭାବିତ ହେଉଛନ୍ତି ହଜାର ହଜାର ନିର୍ମାଣ ଶ୍ରମିକ ଓ ଠିକାଦାର। ଏଥିସହ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ବାଲି ଖାଦାନରେ ପୁରଣ କରାଯାଉଥିବା ଓ୍ବାଇ ଫର୍ମରେ ବ୍ୟାପକ ଅନିୟମିତତା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଉକ୍ତ ଫର୍ମରେ ପରିବହନ ହେଉଥିବା ବାଲିର ପରିମାଣ, ସ୍ଥାନ ତଥା ତାରିଖ ସମୟ ଠିକ ଭାବେ ଉଲ୍ଲେଖ ନକରି ବ୍ୟାପକ ପରିମାଣର ରାଜସ୍ବ ଠକି ନେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ।ବାଲି ଉଠାଣରେ ନିୟନ୍ତ୍ରଣ କରି ସଠିକ ପରିମାଣର ରାଜସ୍ବ ଆଦାୟ ନିମନ୍ତେ ପ୍ରଶାସନ ପକ୍ଷରୁ ଖାଦାନ ସ୍ଥଳରେ ଓ୍ବାଇ ଫର୍ମ ପୂରଣ ବ୍ୟବସ୍ଥା କରାଯାଇଛି। ଯାହାର ତଥ୍ୟ ଲିଜଧାରୀ ସ୍ଥାନୀୟ ତହସିଲଦାରଙ୍କୁ ଜମା ଦେବାକୁ ପଡିଥାଏ। ତିନିକିତା ବିଶିଷ୍ଟ ଏହି ଓ୍ବାଇ ଫର୍ମରେ ପ୍ରଶାସନକୁ ହସ୍ତାନ୍ତର କରିବା ନକଲରେ ମିଥ୍ୟା ତଥ୍ୟ ଉଲ୍ଲେଖ କରାଯାଉଥିବା ବେଳେ ଦାୟିତ୍ଵରେ ଥିବା କାଶୀନଗର ତହସିଲଦାର ଏହାକୁ ଅଣଦେଖା କରି ପରୋକ୍ଷରେ ଲିଜଧାରୀଙ୍କୁ ସହଯୋଗ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଏହି ଅଭିଯୋଗ ହୋଇ ଆସୁଥିବା ବେଳେ ବହୁବାର ଆନ୍ଦୋଳନ କରାଯାଇଛି। ତେବେ ଏହା ଅଞ୍ଚଳର ହଜାର ହଜାର ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କ ଜୀବିକାରେ ବେଶି ପ୍ରଭାବିତ କରୁଥିବାରୁ ଆଗାମୀ ଦିନରେ ଲୋକଙ୍କ ମଧ୍ୟରେ ପ୍ରତିବାଦର ସ୍ୱର କୋହଳୁଥିବା ଜଣାପଡିଛି। ଏନେଇ ପ୍ରଶାସନକୁ ଅବଗତ କରିବାପରେ ଘଟଣାର ତଦନ୍ତ କରି ଖୁବଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।ଜିଲ୍ଲାରେ କୈାଣସି ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ, ବଂଶଧାରା ନଦୀର ବାଲି ଜିଲ୍ଲା ପ୍ରଶାସନର ଏକମାତ୍ର ରାଜସ୍ବ ଆଦାୟର କେନ୍ଦ୍ର ହୋଇଛି। ଏଥିସହ ୪ ଟି ବ୍ଲକର ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କ ଏକମାତ୍ର ନିର୍ଭର ବଂଶଧାରା ନଦୀର ବାଲି ଖାଦାନର ଉପଯୁକ୍ତ ନିୟନ୍ତ୍ରଣ ଅତି ସମ୍ବେଦନଶୀଳ ହୋଇ ଉଠିଛି।


