ବଢ଼ିଲା ଖରିଫ ଋଣ

ଭୁବନେଶ୍ୱର: ରାଜ୍ୟରେ କୃଷି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ । ଚାଷୀଙ୍କୁ ସରକାର ଅଧିକ ଋଣ ଯୋଗାଇ ଦେବେ । ଏଥିପାଇଁ ଖରିଫ ଋଣ ପରିମାଣକୁ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୭୫୦୦ କୋଟି ଟଙ୍କାର ଖରିଫ ଋଣ ଯୋଗାଣ କରାଯିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଋଣ ପରିମାଣ ବୃଦ୍ଧି କରାଯାଇଥିଲା ବେଳେ ଏ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେଇ ଧାର୍ଯ୍ୟ ସମୟରେ କିଭଳି ଚାଷୀମାନେ ଋଣ ପାଇବେ ସେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟକୁ ଏବେ ପ୍ରାୟ ଅଢେ଼ଇ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଛନ୍ତି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ । ପ୍ରବାସୀମାନଙ୍କୁ ଚାଷ କାମରେ ନିୟୋଜିତ ରଖିବାକୁ ସରକାର ଅଧିକ ଋଣ ଲଗାଣ ଉପରେ ଫୋକସ କରୁଛନ୍ତି । ସେମାନଙ୍କୁ ଯୁଗ୍ମ ଗୋଷ୍ଠୀରେ ସାମିଲ କରି ଋଣ ପ୍ରଦାନ ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଧିକ ଋଣ ଲଗାଣ ଉପରେ ସମବାୟ ବିଭାଗ ଗୁରୁତ୍ୱ ଦେଇଛି । ଏହାଛଡ଼ା ମତ୍ସ୍ୟଚାଷ, ଗୋପାଳନ, କୁକୁଡା ଚାଷ ଆଦି କ୍ଷେତ୍ରକୁ ଅଧିକ ମୂଳଧନ ଋଣ ଆକାରରେ ଯୋଗାଇ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଜିଲ୍ଲାୱାରୀ ଋଣ ବଣ୍ଟନ କରିବା ଉପରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ଦେଇଛନ୍ତି । ଅଧିକ ସଂଖ୍ୟାରେ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଯୋଗାଇ ଦେବା, ନାବାର୍ଡର ମାର୍ଗଦର୍ଶିକା ଅନୁସାରେ ମତ୍ସ୍ୟଚାଷ, ଛେଳି ଚାଷ, କୁକୁଡ଼ାଚାଷ ଆଦି କ୍ଷେତ୍ରକୁ ଅଧିକ ଋଣ ଯୋଗଣ ଏବଂ ମହିଳା ଗୋଷ୍ଠୀଙ୍କୁ ପ୍ରାଥମିକତା ଦେବାକୁ ସମବାୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ଯୋଗାଉଥିବା ଯେଉଁ ଚାଷୀମାନଙ୍କର କିଷାନ କ୍ରେଡିଟ କାର୍ଡ ନାହିଁ ସେମାନଙ୍କୁ କାର୍ଡ ଯୋଗାଇ ଦେଇ ସମବାୟରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ