ବଣଭୋଜି କ୍ଷେତ୍ର ପାଇଁ ସୀମା ନିର୍ଦ୍ଧାରଣ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଣ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲକୁ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ପର୍ଯ୍ୟଟକ ଆସିଥାଆନ୍ତି । ପ୍ରତ୍ୟକ ବର୍ଷ ନଭେମ୍ବରରୁ ଜାନୁଆରୀ ମାସ ଯାଏଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାଛଡା ସ୍ଥାନୀୟ ଅଞ୍ଚଳର ସଭାସମିତି ମଧ୍ୟ ଏହି ଗ୍ରାମ୍ୟ ଜଙ୍ଗଲରେ ଆୟୋଜନ ହୋଇଥାଏ । ତେଣୁ ଗୁରୁତ୍ୱ ଦୃଷ୍ଟିରୁ ଏହାର ଉନ୍ନତିକରଣ ପାଇଁ ବିଡିଓଙ୍କ ପ୍ରସ୍ତାବକ୍ରମେ ଜିଲ୍ଲାପାଳ ଗତସପ୍ତାହରେ କ୍ଷେତ୍ର ପରିଦର୍ଶନ କରିଥିଲେ । ପ୍ରଶାସନିକ ସ୍ତରରେ ଚୂଡାନ୍ତ ନିଷ୍ପତ୍ତି ପରେ ଆଜି ଏହାର ସୀମା ନିର୍ଦ୍ଧାରଣ ହୋଇଛି । ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ୮.୩୨ଏକର ସ୍ଥାନ ନିରୂପଣ କରାଯାଇଥିବା ଜଣାପଡିଛି । ସୀମାନିର୍ଦ୍ଧାରଣ ବେଳେ ସ୍ଥାନୀୟ ବିଡିଓ ବିଜୟ କୁମାର ସାହୁ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ରାଜସ୍ୱନିରୀକ୍ଷକ ସଂଜିବ ବାରିକ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ଏହାର ପାଚେରୀ ନିର୍ମାଣ ସହିତ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡଓ ଶ୍ରୀ ସାହୁ ଜଣାଇଛନ୍ତି ।


