ବର୍ଷାଭାବ ଯୋଗୁଁ ଚାଷୀଙ୍କ ସମସ୍ୟା ନେଇ ପାରଳା ବିଧାୟକଙ୍କ କାଶୀନଗର ଗସ୍ତ ଓ ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାୟକ ରୂପେଶ୍ ପାଣିଗ୍ରାହୀ କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଚାଷୀଙ୍କ ସମସ୍ୟା ବୁଝିଛନ୍ତି I ବର୍ତ୍ତମାନ ବର୍ଷା ଅଭାବ ଯୋଗୁ ଚାଷଜମି ଖାଲି ପଡ଼ିଛି। କାଶୀନଗର ବ୍ଲକର ଅଲଡ଼ା, ଖାଣ୍ଡବା, ଶିଆଳି ପଞ୍ଚାୟତର ବହୁ ଏକର ଚାଷଜମି ପାଣି ଅଭାବ, ବର୍ଷା ବି ଠିକ୍ ସମଯରେ ପଡ଼ିନଥିବା ଯୋଗୁ ଉକ୍ତ ଅଞ୍ଚଳରେ ଚାଷଜମିରେ ମାଟି ଫାଟି ଆଁ ହୋଇ ଅନେଇ ବସିଛି ମେଘକୁ | ବର୍ତମାନ ଚାଷୀ ନିଜ ଭାଗ୍ୟକୁ ଦୋଷ ଦେଇ ମୁଣ୍ଡରେ ହାତ ଦେଇ ବସିଛି। ଶ୍ରାବଣ ମାସ ଶେଷ ବେଳକୁ ଧାନରୁଆ କାର୍ଯ୍ୟ ସରିବା କଥା କିନ୍ତୁ ଚଳିତ ବର୍ଷ କାଶୀନଗର ଅଞ୍ଚଳରେ ବର୍ଷା ଅଭାବ ଯୋଗୁ ଏଯାଏଁ ବହୁ ଚାଷଜମିରେ ଚାଷ ହୋଇ ପାରିନାହିଁ | ଉକ୍ତ ସମସ୍ୟାର ସମାଧାନ ପାଇଁ ଅଲଡ଼ା ଗ୍ରାମ ନିକଟସ୍ଥ ପୁଲିଗୁମି ଦେଇ ଯାଉଥିବା ବାଇଝାଲ ନାଳକୁ ଡ୍ୟାମ କରିବା ପାଇଁ ସ୍ଥାନୀୟ ଚାଷୀମାନେ ବହୁ ବର୍ଷ ଧରି ସରକାରଙ୍କୁ ଗୁହାରି ଜଣାଇଥିଲେ ବି ବର୍ତ୍ତମାନ୍ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଯୋଗୁଁ ଚାଷୀ ମନରେ ଅସନ୍ତୋଷ ପ୍ରକାଶ ପାଇଛି I ଉକ୍ତ ନାଳରେ ବର୍ତ୍ତମାନ ସୋଲାର ଯୋଗେ ଜମିକୁ ପାଣି ଯୋଗାଇବା ବ୍ୟବସ୍ଥା ହୋଇଥିଲେ ବି ଆବଶ୍ୟକ ପାଣି ଜମିକୁ ଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ବର୍ତମାନ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କ ଦୁଃଖ ଜାଣି ଉକ୍ତ ସ୍ଥାନରେ ପହଞ୍ଚି ବିଭିନ୍ନ ସ୍ଥାନ ସହ ବାଇଝଳ ନାଳକୁ ଗସ୍ତ କରି ସମସ୍ୟା ବୁଝିଥିଲେ | ତାଙ୍କ ଗସ୍ତ ସମୟରେ ଅଲଡା ସରପଞ୍ଚ ଗୋପାଳ ଗମାଙ୍ଗ, ଖାଣ୍ଡବା ସମିତି ସଭ୍ୟ ଜଗନ୍ନାଥ ଦୋରା ଓ ସ୍ଥାନୀୟ ବହୁ ଚାଷୀ ଉପସ୍ଥିତ ହୋଇ ନିଜ ନିଜ ଅଞ୍ଚଳର ଜଳ ସେଚନ ସମସ୍ୟା ବିଷୟରେ କହିଥିଲେ। ଜିଲ୍ଲା ପ୍ରଶାସନ ସହ ଉକ୍ତ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ବିଧାୟକ କ‌ହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ