ବର୍ଷେ ପାଣି ନ ପିଇ ସୁସ୍ଥ
ପ୍ରଚୁର ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ଡାକ୍ତର ଉପଦେଶ ଦିଅନ୍ତି । ଇଣ୍ଡୋନେସିଆର ବାଲି ବାସିନ୍ଦା ନ୍ୟୁଟ୍ରିସନିଷ୍ଟି ସୋଫି ପାର୍ଟିକଙ୍କ ମତ କିନ୍ତୁ ଭିନ୍ନ । ସେ କହନ୍ତି ପାଣି ବିନା ଆମେ ବଞ୍ଚିପାରିବା । ବିନା ପାଣିରେ ଆମେ ସୁସ୍ଥ ରହିବା ସହିତ ସୁନ୍ଦର ତ୍ୱଚା ମଧ୍ୟ ପାଇପାରିବା । ୩୫ ବର୍ଷୀୟା ସୋଫି ପ୍ରାୟ ୧ ବର୍ଷ ପୂର୍ବେ ଗଣ୍ଠି ଯନ୍ତ୍ରଣା, ଆଖି ଫୁଲା, ଆଲର୍ଜି ସହିତ ଆହୁରି ଅନେକ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ତାଙ୍କର ଦୁଶ୍ଚିନ୍ତା ବଢ଼ିଥିଲା । ତାଙ୍କ ମୁହଁର ସୌନ୍ଦର୍ଯ୍ୟ ଖରାପ ହେବାକୁ ଲାଗିଲା । ଚିକିତ୍ସା ପାଇଁ ଅନେକ ଡାକ୍ତରଙ୍କ ନିକଟକୁ ଦୌଡ଼ୁଥିଲେ । କିନ୍ତୁ କୌଣସି ସୁଫଳ ମିଳୁନଥିଲା । କିଛି ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ପାଇଁ ଉପଦେଶ ଦେଲେ । ଥରେ ‘ଡ୍ରାଏ ଫାଷ୍ଟିଂ’ କରିବା ପାଇଁ ସୋଫିଙ୍କର ଜଣେ ବନ୍ଧୁ ତାଙ୍କୁ ପରାମର୍ଶ ଦେଲେ । ଡ୍ରାଏ ଫାଷ୍ଟିଂରେ ଅର୍ଥ ପାଣି ବିନା ରହିବା । ସୋଫି ଡ୍ରାଏ ଫାଷ୍ଟ ଆରମ୍ଭ କରିଦେଲେ । ପାଣି ବଦଳରେ ପଇଡ଼ ପାଣି, ତରଭୁଜ ରସ, ଆମ୍ବ ରସ ଆଦି ବିଭିନ୍ନ ଫଳ ରସ ପିଇଲେ । କିଛି ଦିନ ମଧ୍ୟରେ ତାଙ୍କ ଶରୀର ଯନ୍ତ୍ରଣା, ଆଖି ଓ ମୁହଁ ଫୁଲା କମିଗଲା । ଚର୍ମ ରୋଗ ମଧ୍ୟ ଭଲ ହେବାକୁ ଲାଗିଲା । ଏହା ଦେଖି ସୋଫି ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ବର୍ଷେ କାଳେ ପାଣି ପିଇଲେ ନାହିଁ । ଆଜୀବନ ବିନା ପାଣିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ‘ଡ୍ରାଏ ଫାଷ୍ଟିଂ’ ର ଲାଭ ବିଷୟରେ ଲୋକଙ୍କୁ ଜଣାଇବା ସହିତ ସୋସିଆଲ ମିଡିଆରେ ଅନେକ ତଥ୍ୟ ପୋଷ୍ଟ କରୁଛନ୍ତି ।


