ବସ୍ତିବାସିନ୍ଦାଙ୍କର ଖୋଲିବ ଭାଗ୍ୟ ସମସ୍ତ ପରିବାର ପାଇବେ ସ୍ଥାୟୀ ବାସିନ୍ଦାର ମାନ୍ୟତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବସ୍ତି ବାସିନ୍ଦାଙ୍କ ଖୋଲୁଛି ଭାଗ୍ୟ। ପକ୍କାଘରରେ ପରିଣତ ହେବ ବସ୍ତିର ଝାଟିମାଟିର ଘର। ଦୂର ହେବ ଏମାନଙ୍କ ଦୁଃଖ। ଏଥିପାଇଁ ଆରମ୍ଭ ହୋଇଛି ଥଇଥାନ କାର୍ଯ୍ୟ। ବସ୍ତିର ସମସ୍ତ ପରିବାର ପାଇବେ ସ୍ଥାୟୀ ବାସିନ୍ଦାର ମାନ୍ୟତା। ସହରାଞ୍ଚଳରେ ଜମି ସହ ଗୃହ ପ୍ରଦାନ କରୁଛନ୍ତି ସରକାର। ଏନେଇ ଉଦ୍ୟମ ଜାରି ରଖିଛି ପାରଳାଖେମୁଣ୍ଡି ପୈାର ପରିଷଦ। ଦେଖିବା ଏହି ରିପୋର୍ଟରେ। ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଢି ଉଠିଛି ଜନବସତି। ବର୍ଷ ବର୍ଷ ଧରି ଏସବୁରେ ରହି ଆସୁଛନ୍ତି ଶତାଧିକ ଗୃହହୀନ ପରିବାର। ରୋଜଗାର ତଥା ପେଟ ପୋଷିବା ପାଇଁ ସହରକୁ ଆସି ଖାଲିପଡ଼ିଥିବା ସରକାରୀ ଜମିରେ ଝାଟିମାଟିର କୁଡ଼ିଆ ନିର୍ମାଣ କରି ମୁଣ୍ଡ ଗୁଞ୍ଜିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରେ ରହିଥାନ୍ତି ନିର୍ମାଣ ଶ୍ରମିକ ଠାରୁ ଆରମ୍ଭ କରି ଦିନ ମଜୁରିଆ ତଥା ସଫେଇ କର୍ମଚାରୀଙ୍କ ପରିବାର। ଏମାନଙ୍କୁ ସମ୍ମାନ ସହ ବଞ୍ଚିବା ପାଇଁ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର। ଜାଗା ମିଶନ ଜରିଆରେ ଜମି ଓ ଘର ପ୍ରଦାନ କରି ବଞ୍ଚିବାର ଅଧିକାର ଦେଇଛନ୍ତି ସରକାର।ଏହି ଯୋଜନାରେ ଅନ୍ତର୍ଭୁକ୍ତ କରି ରେଲୱେ ଷ୍ଟେସନ ନିକଟର ବସ୍ତିର ସମସ୍ତ ପରିବାରକୁ ଜାଗା ଦେବାକୁ ସ୍ଥାନ ଚିହ୍ନଟ କରିଛି ପାରଳାଖେମୁଣ୍ଡି ପୈାର ପ୍ରଶାସନ। ସେଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ବସ୍ତିବାସିନ୍ଦା। ପ୍ରଥମ ପର୍ଯ୍ୟାୟରେ ୨୭୪ ପରିବାରକୁ ଥଇଥାନ କରିବା ପାଇଁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୮୮ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଛି। ଅବଶିଷ୍ଟ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ପ୍ରୟାସ ଜାରି ରହିଛି ଏବଂ ଧିରେ ଧିରେ ଅନ୍ୟ ସମସ୍ତ ବସ୍ତିର ପରିବାରକୁ ଥଇଥାନ କରାଯାଉଛି । ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସମସ୍ତ ସୁବନ୍ଦୋବସ୍ତ ସହ ପକ୍କାଘର ଯୋଗାଇ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ସହରାଞ୍ଚଳର ବିକାଶ ପାଇଁ ବସ୍ତି ଉଚ୍ଛେଦ ନିହାତି ଆବଶ୍ୟକ ଥିବା ବେଳେ ପକ୍କାଘର ଯୋଗାଇ ବସ୍ତିବାସିନ୍ଦାଙ୍କୁ ଥଇଥାନ କରି ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି ସରକାର। ତେବେ ଯୋଜନାର ସଫଳତା କ୍ଷେତ୍ରରେ ପୈାର ପ୍ରଶାସନ ବେଶ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ