ବସ୍ତିରେ ହୋମ କ୍ୱାରେଣ୍ଟାଇନ ମନା
ଭୁବନେଶ୍ୱର: ଏଣିକି ବସ୍ତିରେ ହୋମ କ୍ୱାରେଣ୍ଟାଇନ ମନା । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏ ନେଇ ସୂଚନା ଦେଇଛନ୍ତି । ବସ୍ତି ଅଞ୍ଚଳରେ ଲକ୍ଷଣ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବିଏମସିର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ । କମିଶନର ଶ୍ରୀ ଚୌଧୁରୀ କହିଛନ୍ତି, ବସ୍ତି ଅଞ୍ଚଳକୁ ବିଏମସି ଫୋକସ କରୁଛି । ସେଠାରେ ବସ୍ତି କମିଟି କାମ କରୁଛି । ହଟସ୍ପଟ ଜିଲ୍ଲାରୁ ଫେରୁଥିବା ଲୋକଙ୍କ ଉପରେ କମିଟି ନଜର ରଖୁଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ବସ୍ତି ଅଞ୍ଚଳରେ ଘର ଘର ବୁଲି ସର୍ଭେ ଚାଲିଛି । ଆକ୍ଟିଭ ସର୍ଭେଲାନ୍ସରୁ ଲକ୍ଷଣ ଥିବା ଲୋକଙ୍କୁ ଖୋଜି ତୁରନ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଉଛି । ନମୁନା ପରୀକ୍ଷା ପାଇଁ ପଠାଯିବାର ଦିନେ ଦୁଇ ଦିନ ପରେ ରିପୋର୍ଟ ଆସୁଛି । କିନ୍ତୁ ଏହି ସମୟ ଭିତରେ ସନ୍ଦିଗ୍ଧ ବ୍ୟକ୍ତି ପଜିଟିଭ ଥିଲେ ସେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ରୋଗ ସଂକ୍ରମଣ କରିବାର ଆଶଙ୍କା ରହୁଛି । ଏଥିପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି । ସେହିପରି ବସ୍ତିରେ ଜନ୍ମରୁ ୫ ବର୍ଷ ବୟସର ପିଲାଙ୍କୁ ସ୍ୱତନ୍ତ୍ର ଭାବେ ସର୍ଭେ କରାଯାଉଛି ।


