ବାଉଁଶ ବ୍ୟାରିକେଟ ସହ ମିନି କଣ୍ଟେନ ମେଣ୍ଟ ଜୋନ ଘୋଷଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ମଙ୍ଗଳବାର କରୋନାରେ ସଂକ୍ରମିତ ଜଣେ ଦୁବାଇ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ଏହା ଜଣାପଡ଼ିବା ପରେ ଭଞ୍ଜନଗର ଡାକ୍ତରଖାନାର ଏକ ଟିମ୍ ତାଙ୍କୁ ଠାବ କରି ଆଇସୋଲେସନ୍ ୱାର୍ଡ଼ରେ ରଖିଛନ୍ତି। କିନ୍ତୁ ତାଙ୍କ ଶରୀରରେ ଓମିକ୍ରନ୍ ପ୍ରଜାତି ଚିହ୍ନଟ ପାଇଁ ସ୍ବାବ୍କୁ ଭୁବନେଶ୍ବର ପଠାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନିଜ ଘର ରାଉରକେଲାରେ। ସେ ଗତ ୩୦ ତାରିଖରେ ଦୁବାଇରୁ ବିମାନ ଯୋଗେ ଆସିଥିଲେ। ବିମାନବନ୍ଦରରେ ତାଙ୍କର ଆରଟିପିସିଆର୍ ଟେଷ୍ଟ୍ ହୋଇଥିଲା। କିନ୍ତୁ ରିପୋର୍ଟ ଆସି ନଥିଲା। ହେଲେ ବ୍ୟକ୍ତିଜଣକ ନିୟମାନୁସାରେ ସଙ୍ଗରୋଧରେ ନରହି ଭଞ୍ଜନଗର ସହର ଲଣ୍ଡେଇ ସାହିକୁ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ।ବ୍ୟକ୍ତିଜଣକ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ତାଙ୍କ ମୋବାଇଲ୍କୁ ସ୍ବାସ୍ଥ୍ୟ ବିଭାଗରୁ କଲ୍ ଆସିଥିଲା। ସେ ଭଞ୍ଜନଗରରେ ଥିବା କହିବା ପରେ ଭଞ୍ଜନଗର ଡାକ୍ତରଖାନାର ଏକ ଟିମ୍ ପହଞ୍ଚି ତାଙ୍କୁ ନେଇ ଆଇସୋଲେସନ୍ ୱାର୍ଡ଼ରେ ରଖିଛନ୍ତି। ଓମିକ୍ରନ୍ ଚିହ୍ନଟ ପାଇଁ ସ୍ବାବ୍କୁ ଭୁବନେଶ୍ବର ପଠାଯାଇଛି। ଏଥି ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟ ମାନଙ୍କ ସ୍ୱାବ ମଧ୍ଯ ସଂଗ୍ରହ କରାଯାଇଛି। ଅପରପକ୍ଷରେ ଘଟଣା କୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି। ଅଞ୍ଚଳକୁ ମିନି କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ବାଉଁଶ ବ୍ୟାରି କେଟ କରିଛି ପ୍ରଶାସନ। ଏହି ସବୁ ଅଞ୍ଚଳର ଲୋକେ କୋଭିଡ଼ ର ସମସ୍ତ ନିୟମ ପାଳନ କରିବା ସହ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଘଟଣା ପ୍ରଚାର ହେବା ପରେ ଭଞ୍ଜନଗରରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଓମିକ୍ରନ ର ଆତଙ୍କ ଦେଖା ଦେଇଛି!।


