ବାଘୁଆ ମଧ୍ୟମ ଜଳଭଣ୍ଡାରରେ ଗଚ୍ଛିତ ଅଛି ୨୪.୫୯ ପ୍ରତିଶତ ପାଣି
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବହୁ ଜମିରେ ଧାନ ରୁଆ ହୋଇପାରି ନାହିଁ ଓ ଜଳଭଣ୍ଡାର ମଧ୍ୟ ଶୁଖିଲା ପଡିଛି। ବୁଗୁଡା ବ୍ଳକର ବାଘୁଆ ଜଳଭଣ୍ଡାର ଉପରେ ବୁଗୁଡା ବ୍ଲକ ଓ ପୋଲସରା ବ୍ଳକର ଚାଷୀମାନେ ଜଳସେଚନ ପାଇଁ ନିର୍ଭର କରିଥାନ୍ତି। ବାଘୁଆ ମଧ୍ୟମ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ହେଲା ୩୧୦୦ ହେକ୍ଟମିଟର। ବାଘୁଆ ଜଳଭଣ୍ଡାରର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କୃଷ୍ଣ ଚନ୍ଦ୍ର ପାଳଙ୍କ ଉକ୍ତି ପ୍ରକାରେ ସେପ୍ଟେମ୍ବର ୨ ତାରିଖ ସକାଳ ୬ ଘଣ୍ଟା ସୁଦ୍ଧା ଜଳଭଣ୍ଡାରରେ ୭୬୨.୨୫ ହେକ୍ଟମିଟର ଜଳ ଗଚ୍ଛିତ ଅଛି। ଯାହାକି ମୋଟ ଜଳ ଧାରଣ କ୍ଷମତାର ମାତ୍ର ୨୪.୫୯ ପ୍ରତିଶତ। ପ୍ରଥମ ପର୍ଯ୍ୟାୟରେ ବାଘୁଆ ଜଳଭଣ୍ଡାର ଅନ୍ତର୍ଗତ ସମସ୍ତ ଜମିରେ ଧାନ ଚାଷ ହୋଇଥିବା ବେଳେ ବର୍ତ୍ତମାନ ଦ୍ଵିତୀୟ ପର୍ଯ୍ୟାୟରେ ଜଳସେଚନ ପାଇଁ ୬ ଗୋଟି ଗେଟ ଦ୍ୱାରା କେନାଲରେ ପାଣି ଛଡ଼ାଯାଉଛି। ଜଳଭଣ୍ଡାରକୁ ୦.୫୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ କେନାଲରେ ୭.୭୦ ଘନମିଟର ଜଳ କ୍ଷେତକୁ ଯାଉଅଛି। ଅର୍ଥାତ ଦୈନିକ ଦୁଇ ପ୍ରତିଶତ ଜଳ କେନାଲରେ ଯାଉଅଛି। ପାନୀୟ ଜଳ ପାଇଁ ୧୦ ପ୍ରତିଶତ ଗଛିତ ରହିଲେ ଆଉ ମାତ୍ର ୧୪ ପ୍ରତିଶତ ଜଳ ୭ ଦିନ ପାଇଁ କେନାଲରେ ଜଳସେଚନ ପାଇଁ ପାଣି ଯାଇପାରିବ। ଯଦି ବର୍ଷା ନହୁଏ ବାଘୁଆ ଜଳଭଣ୍ଡାରରେ ଜଳ ଅଭାବ ଯୋଗୁଁ ଆଗକୁ ଫସଲ ପାଇଁ ଗୁରୁତର ଜଳ ସଙ୍କଟ ଦେଖାଦେଇପାରେ। ବାଘୁଆ ଜଳଭଣ୍ଡାର ଅବସ୍ଥା ଏହିପରି ଥିବାବେଳେ କ୍ଷୁଦ୍ର ଜଳ ସେଚନ ବିଭାଗ ଜଳଭଣ୍ଡାର ଗୁଡିକ ଅବସ୍ଥା ନକହିବା ଭଲ। ସମସ୍ତ ଜଳଭଣ୍ଡାରର ଶୁଖିଲା ପଡିଛି। ବୁଗୁଡା ବ୍ଲକରେ ମରୁଡ଼ିର ପଦଧ୍ଵନି ଦେଖାଦେଇଥିବା ବେଳେ ଭବିଷ୍ୟତରେ ପରିସ୍ଥିତି ଭୟାବହ ହୋଇପାରେ। ପ୍ରଶାସନ ଏହିପ୍ରତି ସଜାଗ ରହିବା ଜରୁରୀ ହୋଇଛି।


