ବାତ୍ୟା ଅମ୍ଫାନର ୬ ଦିନ ପରେ ବି ବସ୍ତି ବାସିନ୍ଦା ଙ୍କୁ ମିଳିନି ସହାୟତା
ପାରାଦ୍ୱୀପ, (ପିତବାସ ପ୍ରଧାନ):ଗତ ୧୯ଓ୨୦ ତାରିଖ ଦୁଇ ଦିନ ଧରି ଓଡିଶା ଉପକୂଳ ସମେତ ପଶ୍ଚିମବଙ୍ଗ ର ସ୍ଥିତିକୁ ଦୋହଲାଇ ଦେଇଥିଲା । ବାତ୍ୟା ଯିବାର ୬ ଦିନ ପରେ ଏବେ ବି ପ୍ରଶାସନର ସହାୟତାକୁୁ ଚାହିଁ ରହିଛନ୍ତି ଜଗତ୍ସିଂହପୁର ଜିଲ୍ଲା ର ଉପକୂଳିଆ ସହର ପାରାଦ୍ୱୀପର ଷଣ୍ଢକୁଦ ଓ ନୂଆବଜାର ବସ୍ତି ବାସିନ୍ଦା । ନୂଆ ବଜାର ମୁଣ୍ଡାପଡା ଓ ଷଣ୍ଢକୁଦର ଏମିତି ଅନେକ ଘରର ଛପର ଉଡାଇ ଦେଇଥିଲା ବାତ୍ୟା ଅମ୍ଫାନ୍ । ଅମ୍ଫାନର କରାଳ ପବନ ମାଡରେ ଛପର ଉଡିଯିବା ପରେ ଗଛ ବି ଉପୁଡି ପଡିଥିଲା । ବାତ୍ୟା ଯିବା ୬ ଦିନ ପରେ ଏହି ବାତ୍ୟା ପ୍ରପୀଡିତ ଲୋକଙ୍କୁ ପାଲ ଖଣ୍ଡେ ବି ମିଳି ପାରିଲା ନାହିଁ । ପ୍ରଶାସନ ର ସହାୟତାକୁ ଚାହିଁ ଚାହିଁ ଶେଷରେ ବସାଘର ଖଣ୍ଡକୁ କଷ୍ଟେମଷ୍ଟେ ସଜାଡିବାରେ ଲାଗିଲେଣି ବସ୍ତି ବାସିନ୍ଦା । ବାତ୍ୟା ଅମ୍ଫାନର ଦାଉ ପରେ ଏବେ ମୁଣ୍ଡ ଗୁଂଜିବାକୁ ଯାଗା ନାହିଁ । ଷଣ୍ଢକୁଦ ବସ୍ତିର ଅର୍ଜିଲ ଶିବା , ଚକା ରାମଣା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଏହି ୬ ଦିନ ମଧ୍ୟରେ ନା ପୌର ପାଳିକା ନା ରାଜ୍ୟ ସରକାର କେହି ହେଲେ ବି ସେମାନଙ୍କ ପାଖରେ ସହାୟତାର ହାତ ବଢେଇବାକୁ ପହଞ୍ଚି ନାହାଁନ୍ତି । ତୁରନ୍ତ ଏହି ବସ୍ତି ବାସିନ୍ଦା ଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ସେମାନେ ଦାବୀ କରିଛନ୍ତି ।


