ବାପାଙ୍କ ପାଇଁ ଦିନଟିଏ ହୃଦୟରେ ବାପା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ହେଉଛି ‘ଫାଦରସ୍ ଡେ’ । ବାପାଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଜୁନ୍ ମାସ ତୃତୀୟ ସପ୍ତାହ ରବିବାର ଦିନ ପାଳନ ହୁଏ ବିଶ୍ୱ ପିତୃଦିବସ । ଆଜି ବିଶ୍ୱର ବିଭିନ୍ନ ଦେଶରେ ପାଳନ ହେଉଛି ‘ଫାଦରସ୍ ଡେ’ । ଜୀବନରେ ମାଆଙ୍କ ମହତ୍ତ୍ୱ ଯେତେ ବାପାଙ୍କ ମହତ୍ୱ ସେତେ ମୂଲ୍ୟବାନ୍ । ଏହି ପରିପ୍ରେକ୍ଷୀରେ ବାପାଙ୍କ ସହ ଅନୁଭୂତି, ବାପାଙ୍କ ଅବଦାନ ଜୀବନରେ କେତେ ମହତ୍ୱ ରଖିଛି ତାହାକୁ ରଙ୍ଗ, ତୁଳୀରେ ବଖାଣିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୮ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ରଙ୍ଗ ଓ ତୁଳୀରେ ଆଙ୍କିଛନ୍ତି ଏକ ସୁନ୍ଦର ହୃଦୟ । ହୃଦୟ ମଧ୍ୟରେ ପିତାଙ୍କ କାନ୍ଧ ଉପରେ ବସିଛି ପୁଅ, ପିଠିରେ ଇଂରାଜୀ ଭାଷାରେ ଉଲ୍ଲେଖ ରହିଛି ମାଇଁ ହିରୋ । ଅର୍ଥାତ୍ ମୋ ବାପା ମୋ ପାଇଁ ହିରୋ । ଶାନ୍ତନୁ ତାଙ୍କ ପ୍ରତିକ୍ରିୟାରେ କୁହନ୍ତି – ମା’ ମାଟି ହେଲେ ବାପା ମୋର ଆକାଶ । ମୋ ବାପା ମୋ ପାଇଁ ପ୍ରେରଣାର ଉତ୍ସ । ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ସେ ମୋତେ ପରାମର୍ଶ ଦିଅନ୍ତି । ପ୍ରତିଟି ମୁହୂର୍ତ୍ତରେ ଯେକୌଣସି ସମସ୍ୟା ଆସିଲେ ମୋ ପାଇଁ ଢାଲ୍ ପରି ଛିଡ଼ା ହୋଇଯାଆନ୍ତି । ମୋ ବାପାଙ୍କୁ ମୁଁ ସବୁଠାରୁ ବେଶି ଭଲପାଏ । ମୋତେ ସେ ପାଠ ପଢାନ୍ତି । ମୋ ସାଙ୍ଗରେ ଖେଳନ୍ତି, ମୁଁ ଯଦି କେତେବେଳେ ରୁଷି ଥାଏ, ସେ ମୋତେ ଏବେ ବି କୋଳେଇ ଆଣନ୍ତି । ମୁଣ୍ଡକୁ ମୁଣ୍ଡ ଲଗାଇ ଆମେ ଦୁହେଁ ଷଣ୍ଢ ଲଢେଇ ଖେଳ ଖେଳୁ । ସେ ଶିକ୍ଷକ ଓ ମୋର ସବୁଠାରୁ ପ୍ରିୟ ସାଙ୍ଗ । ତାଙ୍କ ସ୍ୱଳ୍ପ ଅର୍ଜିତ ଧନରେ ପାଠ ପଢାଇବା ପାଇଁ କଷ୍ଟ ହେଉଥିଲେ ବି କେବେ ବି ସେ ପ୍ରକାଶ କରିନାହାନ୍ତି । ନିଜେ କଷ୍ଟ ସହି ମୋତେ ପାଠ ପଢାଉଛନ୍ତି । ନିଜ ଗୋଡ଼ରେ ଠିଆ ହେବାକୁ ପ୍ରେରଣା ସେ ଯୋଗାଇଥାନ୍ତି । ତାଙ୍କ ପରି ବାପାଙ୍କ ପୁଅ ଭାବେ ମୁଁ ସର୍ବଦା ଗର୍ବିତ ବୋଲି କୁହନ୍ତି ଶାନ୍ତନୁ । ପବିତ୍ର ପିତୃ ଦିବସ ଅବସରରେ ସମସ୍ତଙ୍କ ବାପାମାନଙ୍କୁ ଅନେକ ଶୁଭେଚ୍ଛା ଓ ପ୍ରଣାମ ଜଣାଇଛନ୍ତି ଶାନ୍ତନ୍ତୁ ।


