ବାରହା ଫାସରେ ଫସିଲା ଚିତା ବାଘ
ବୁଗୁଡା,(ଅନିଲ କୁମାର ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମାଣିତରା ସେକ୍ସନ, ମାଣିତରା ବିଟ୍ ର ମାଣିତରା ପାଞ୍ଚାୟତର ନଗୁଡୁ କୁଣ୍ଡାଖାଇ ପାହାଡରେ କୌଣସି ବ୍ୟକ୍ତି ବାରହା ଶିକାର ପାଇଁ ଫାସ ପକାଇ ଥିବା ବେଳେ ସେହି ଫାସରେ ଏକ ବିରାଟକାୟ ଚିତା ବାଘ ଫସି ଯାଇଥିବା ବେଳେ ବନବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଥିବା ଜଣାପଡ଼ିଛି । ଜଙ୍ଗଲ ବିଭାଗ ଅଧୀନରେ ଥିବା ୧୦ ଏକର ଓ ଅବଶିଷ୍ଟ ବହୁ ଭାଗ ରାଜସ୍ୱ ବିଭାଗ ଅଧୀନରେ ଥିବା ନଗୁଡୁ କୁଣ୍ଡାଖାଇ ପାହାଡ଼ରେ ଗତ ରାତିରେ କେହି ବ୍ୟକ୍ତି ବାରହା ଶିକାର ପାଇଁ ଫାସ ପକାଇ ଥିଲା । ହେଲେ ଖାଦ୍ୟ ଅନ୍ୱେଷଣରେ ସେହି ପାହାଡକୁ ଆସିଥିବା ଏକ ବିରାଟ ଚିତା ବାଘ ସେହି ଫାସରେ ଲାଗିଯାଇ ଗର୍ଜନ କରିଥିଲା । ଗର୍ଜନ ଶୁଣିବା ପରେ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଓ ମାଣିତରା ସେକ୍ସନ ବନପାଳ ସରସ୍ୱତୀ ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପହଞ୍ଚି ଥିଲେ । ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥଲେ । ଏହି କାର୍ଯ୍ୟରେ ଅଞ୍ଚଳର କେତକ ସାହାସୀ ଯୁବକ ମଧ୍ୟ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଥିଲେ । ମୋଟା ରଶୀ ଜାଲ ଦ୍ୱାରା ଚିତା ବାଘକୁ ଧରିବାରେ ସଫଳ ହୋଇ ଥିଲେ । ବାଘକୁ ଜାଲ ପକାଇ ଧରିବା ବେଳେ ବୁଗୁଡାର ଦିଲ୍ଲୀପ କୁମାର ଦାସଙ୍କ ଜଙ୍ଘକୁ ଚିତା ବାଘ କାମୁଡି ଦେବାଯୋଗୁଁ ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକି ନେଇ ଚିକିତ୍ସା କରା ଯାଇଥିଲା । ଜାଲରେ ଗୁଡ଼ାଇ ଚିତାବାଘକୁ ବନ ବିଭାଗ କର୍ମଚାରୀ ବୁଗୁଡା ରେଞ୍ଜେର ଅଫିସକୁ ଆଣିଥିଲେ । ସେଠାରେ ପ୍ରାଣୀଧନ ଚିକିତ୍ସକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବାଘଟିକୁ ଜଙ୍ଗଲରେ ଛାଡିଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।


