ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା ପାଇଁ ଆହ୍ୱାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପାରଳାଖେମୁଣ୍ଡି ଠାରେ ଥିବା ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଜୟନ୍ତୀ ସମାବେଶରେ ବିଜୁବାବୁଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବିଜେଡି କର୍ମୀ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ନେତାମାନେ ଆହ୍ୱାନ ଦେଇଥିଲେ । ନବୀନ ସରକାର ଶାସନ କାଳରେ ଓଡିଶାରେ ଘଟିଥିବା ଉନ୍ନତି ଓ ଲୋକହିତକର କାର୍ଯ୍ୟକ୍ରମକୁ ନେଇ ଲୋକଙ୍କୁ ଅବଗତ କରିବା ସହ ଲୋକଙ୍କ ପରାମର୍ଶକୁ ଗ୍ରହଣ କରି ଲୋକଙ୍କ ବିକାଶ ଓ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ ନାୟକ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଫଳ,ପାରଳା କୁଷ୍ଠାଶ୍ରମ ରୋଗୀଙ୍କୁ ଫଳ ଏବଂ ସ୍ଥାନୀୟ ନବଜୀବନ ଆଶ୍ରମର ଅନ୍ତେବାଶୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳର ନେତ୍ରୀ ତଥା ପାରଳା ଯୁବରାଣୀ କଲ୍ୟାଣୀ ଦେବୀ,ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସ,ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା,ରାମନାଥ ମିଶ୍ର,ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଏଥିରେ ଉପସ୍ଥିତ ଥିଲେ ।


