ବିଜୁ ସେତୁ ଯୋଜନା ପାଲଟିଛି ସାତ ସପନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଞ୍ଚାୟତ ର ସରପଡ଼ା ଗାଁରେ ବସବାସ କରନ୍ତି ପ୍ରାୟ ୧୫୦ ରୁ ଅଧିକ ପରିବାର । ଏହି ଗାଁର ଲୋକମାନେ ମୁଖ୍ୟତଃ ଚାଷବାସ ଓ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଚଳନ୍ତି। ଗାଁକୁ ଯିବାକୁ ହେଲେ ଲୋହରାଖଣ୍ଡି ନଦୀ ପାର ହେବାକୁ ପଡ଼ିଥାଏ। ଖାଲି ସରପଡ଼ା ଗାଁ ନୁହେଁ, ପାଖାପାଖି ୨ ରୁ ୩ ଟି ଗାଁ ନଦୀ ସେପଟେ ରହିଛି। ତେଣୁ ବର୍ଷା ଦିନ ଆସିଲେ ଏହି ଅଂଚଳର ଲୋକଙ୍କ ସମସ୍ୟା ଓ ଦୁଃଖ ବଢ଼ିଯାଏ । କାରଣ ସେହି ଗ୍ରାମ କୁ ଯିବା ରାସ୍ତା ରେ ଲୋହରାଖଣ୍ଡି ନଦୀ ଉପରେ ବ୍ରିଜ୍ଟିଏ ନାହିଁ। ଏହିସବୁ ଗାଁର ଲୋକେମାନେ ନିତି ଦିନିଆ ସଉଦାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଭଞ୍ଜନଗର ସହର ଉପରେ ନିର୍ଭର କରିଥାଆନ୍ତି। ଆଉ ଏହି ଗାଁଠାରୁ ଭଞ୍ଜନଗର ସହରର ଦୂରତା ୧୬ କିଲୋମିଟର। ଗ୍ରାମକୁ ରାସ୍ତା ନଥିବା ବେଳେ ଯେଉଁ ୬ ମାସ ନଦୀରେ ପାଣି ଅଧିକ ରହେ ନାହିଁ ସେହିଦିନ ଗୁଡ଼ିକରେ ଲୋକମାନେ ନଦୀରେ ପଶି ଯା’ଆସ କରନ୍ତି। ବାକି ୬ ମାସ ଲୋହରାଖଣ୍ଡି ନଦୀ ଉପରେ ତିଆରି ହୋଇଥିବା ୫୦ ଫୁଟ ର ଅଣଓସାରିଆ କଂକ୍ରିଟ୍ କେନାଲ ଉପରେ ଯା’ଆସ କରନ୍ତି। ପ୍ରତିଦିନ ମୃତ୍ୟୁର ଛାତି ଉପରେ ଚାଲି ନଦୀ ପାର ହେଉଛନ୍ତି ଏ ଗ୍ରାମବାସୀ ଆଉ ଏଠି ପାଦ ଖସିଲେ କୋଳେଇ ନେବ ମୃତ୍ୟୁ । ଏ ନେଇ ଗ୍ରାମବାସୀ କହିଛନ୍ତି ସେମାନେ ସେତୁ ଟିଏ ନିର୍ମାଣ ପାଇଁ ସ୍ତାନୀୟ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏଠାରେ ନିର୍ମାଣ ହେବ ରାଜ୍ୟ ସରକାର ଙ୍କ ବିଜୁ ସେତୁ ଯୋଜନା ।


